ବଲାଙ୍ଗୀର: ମଧ୍ୟାହ୍ନ ଭୋଜନ ଖାଇବା ପରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ବାହାରିଛି । ଯାହାକୁ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଛନ୍ତି । ସମସ୍ତଙ୍କୁ ଟିଟିଲାଗଡ଼ ପିପଲ ପଦରରେ ଥିବା ଏମସିଏଚ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ବିଧାୟକ ଲକ୍ଷ୍ମଣବାଗ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।
ଶନିବାର ସକାଳୁଆ ସ୍କୁଲ ଚାଲିଥିବାବେଳେ ତେନ୍ତୁଳୀଖୁଣ୍ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ମ ଭୋଜନ ଖାଇବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏହା ପରେ ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ପିଲାମାନେ ସୁସ୍ଥ ଅନୁଭବ କରିଥିଲେ । ଖାଦ୍ୟରେ ଝିଟିପିଟି ପଡ଼ିଥିଲା ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ମେଡ଼ିକାଲର ସମସ୍ତ ଡାକ୍ତର ଏବଂ ନର୍ସମାନଙ୍କୁ ଚିକିତ୍ସାରେ ନିୟୋଜିତ କରାଯାଇଥିବା ଏସଡିଏମଓ ଡାକ୍ତର ପ୍ରଦୀପ କୁମାର ନାୟକ କହିଛନ୍ତି l
ସେପଟେ ଖବର ପାଇ ବିଧାୟକ ଲକ୍ଷ୍ମଣ ବାଗ ମେଡ଼ିକାଲରେ ପହଁଚି ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ସହିତ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ତଥା ପାଚକ ପାଚିକାମାନଙ୍କ ଅସାବଧାନତା ତଥା ଅବହେଳା ଯୋଗୁଁ ଏକ ଭୟଙ୍କର ଅଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତୀ ଯାଇଛି ବୋଲି କହିଛନ୍ତି l ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ମଧ୍ୟାହ୍ନ ଭୋଜନ ନିଜେ ଖାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଦେବାକୁ କହିଛନ୍ତି । ତେବେ ସମସ୍ତ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛନ୍ତି । ଘଟଣାରେ ଯାହାର ଅବହେଳା ଥିବ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି l