ଢେଙ୍କାନାଳ: ଶନିବାର ଦିନ ପିଏମ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି ବିତରଣ ଉତ୍ସବ ଉତ୍ତରପ୍ରଦେଶର ବାରାଣାସୀ ଠାରେ ସର୍ବ ଭାରତୀୟ ସ୍ତରରେ ପାଳନ କରାଯାଇଛି । ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ୯ କୋଟି ୭୦ ଲକ୍ଷ ହିତାଧିକାରୀଙ୍କୁ ୨୦,୫୦୦କୋଟି ଟଙ୍କା ସିଧାସଳଖ ଭାବରେ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଭାରତର ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକ ସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଢେଙ୍କାନାଳ ଜିଲ୍ଲାର ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଏହି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତା କରିଥିଲେ ଏବଂ ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଢେଙ୍କାନାଳର ସମସ୍ତ ବିଧାୟକ ଏଥିରେ ସମ୍ମାନୀତ ଅତୀଥି ଭାବରେ ଯୋଗ ଦେଇଥିଲେ। ହିନ୍ଦୋଳର ମାନ୍ୟବର ବିଧାୟକ ଶ୍ରୀମତି ସୀମାରାଣୀ ନାୟକ, ପରଜଂଗର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗରର ବିଧାୟକ ଶ୍ରୀଯୁକ୍ତ ଶତୃଘ୍ନ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟତଃ ୨୦୦ ଜଣ ଚାଷୀ ଭାଇ ଭଉଣୀ ମାନେ ଏହି କାର୍ଯ୍ୟକ୍ରରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳର ଜିଲ୍ଲା କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ଦାସ୍ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ଏହା ସହିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନୀକ ଏବଂ ଡଃ. ବିମଳେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଢେଙ୍କାନାଳର ଚାଷୀ ଭାଇ ଭଉଣୀ ମାନେ ଉପକୃତ ହୋଇଛନ୍ତି ।