ଜଗତସିଂହପୁର: ଜଗତସିଂହପୁର ମହିଳା ଏବଂ ଶିଶୁ ବିକାଶ କାର୍ଯ୍ୟାଳୟରେ ମହିଳା କୋଡିନେଟରଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସିଡବ୍ଲ୍ୟୁସି ଭାବରେ କାର୍ଯ୍ୟରତ ବିବେକାନନ୍ଦ ବଳ । ଗତ ସାତ ମାସ ଧରି ସେ ଜଣେ ୨୫ ବର୍ଷୀୟ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରାଯାଇଛି।
ପୀଡ଼ିତା ମହିଳା ଜଣକ ରୁଚିକ ଫାଉଣ୍ଡେସନ ନାମକ ଏକ ଏନଜିଓରେ କାମ କରୁଥିବା ଜଣାପଡ଼ିଛି। ତେବେ ଅଭିଯୋଗ ମୁତାବିକ, କୌଣସି କାର୍ଯ୍ୟରେ ସେ ସିଡବ୍ଲ୍ୟୁସି କାର୍ଯ୍ୟାଳୟକୁ ଆସିଥିବା ବେଳେ ବିବେକାନନ୍ଦଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଏହା ପର ଠାରୁ ଅଭିଯୁକ୍ତ ଜଣକ ବାରମ୍ବାର ଦୁର୍ବ୍ୟବହାର କରିବା ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ଏପରିକି ଗତ ଫେବୃଆରୀ ମାସରୁ ଅଭିଯୁକ୍ତ ଜଣକ ଏନଜିଓ ସ୍ଥିତ ପୀଡ଼ିତାଙ୍କ ବାସଭବନକୁ ମଧ୍ୟ ବାରମ୍ବାର ଯିବାଆସିବା କରୁଥିଲେ। ତେବେ ପୀଡ଼ିତା ଜଣକ ପ୍ରମାଣ ସ୍ବରୂପ କିଛି ଫଟୋଗ୍ରାଫ୍ ସହ ଭିଡିଓ ମଧ୍ୟ ପୋଲିସକୁ ଦେଖାଇଛନ୍ତି।
ପୀଡ଼ିତା ଯୁବତୀ ଜଣକ ଏନେଇ ପ୍ରଥମେ ସେ ଜଗତସିଂପୁର ଜିଲ୍ଲାପାଳ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ କୌଣସି ପଦକ୍ଷେପ ନିଆ ଯାଇନଥିଲା। ଯାହା ଫଳରେ ସେ FIR ଦାଖଲ କରିବାକୁ ବାଧ୍ୟ ହୋଇଥିଲେ। ଏନେଇ ଏବେ ମାମଲା ପଞ୍ଜିକୃତ ହେବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି।