ଭୁବନେଶ୍ୱର: ପିଏମ୍ ପୋଷଣ ଯୋଜନାରେ ନିରାମିଷ ସ୍କୁଲ୍ ପିଲାଙ୍କୁ ଫଳ ଦିଆଯିବ । ସ୍କୁଲ୍ ପିଲା ଅଣ୍ଡା ଖାଉ ନ ଥିଲେ ଅଣ୍ଡା ବଦଳରେ ଅଣ୍ଡା ମୂଲ୍ୟର ଫଳ ଦିଆଯିବ । ଏନେଇ DEOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପିଏମ୍ ପୋଷଣ ଷ୍ଟେଟ୍ ନୋଡାଲ ଅଫିସର । ଯେଉଁଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସପ୍ତାହକୁ ୩ ଥର ଯେଉଁ ପିଲାମାନେ ଅଣ୍ଡା ଖାଉ ନ ଥିବେ ସେମାନଙ୍କୁ ଏହି ଦିନ ଫଳ ଦିଆଯିବ ।
ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଏହି ସୁବିଧା ମିଳିବ । ରାଜ୍ୟରେ ସ୍କୁଲ୍ ପିଲାଙ୍କୁ କୁପୋଷଣ ଠାରୁ ଦୂରେଇ ରଖି ସେମାନଙ୍କୁ ଉପଯୁକ୍ତ ପୋଷଣ ଦେବା ପାଇଁ ଏ ନିଷ୍ପତ୍ତି ନିଆଯାଇଛି । ସ୍କୁଲ୍ କୁ ପିଲାମାନେ ଆସୁନଥିବାରୁ ମଧ୍ୟାହ୍ନ ଭୋଜନ ମାଧ୍ୟମରେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଖାଦ୍ୟ ସାରଣୀ ମଧ୍ୟାହ୍ନ ଭୋଜନରେ ଅନ୍ତର୍ଭୁକ୍ତ କରାଯାଇଥିଲା । ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅଣ୍ଡା ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି । ଯେଉଁ ପିଲାମାନେ ଆମିଷ ଖାଉନଥିବେ ସେମାନଙ୍କ ପାଇଁ ଅଣ୍ଡା ବଦଳରେ ଫଳ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।