ଭୁବନେଶ୍ୱର: ନିୟମିତ କୃଷି କାର୍ଯ୍ୟ ସହିତ କୃଷକମାନେ ଫସଲରେ ବିବିଧିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଚିତ । ମତ୍ସ୍ୟ ଚାଷ, ପଶୁପାଳନ ଭଳି ଲାଭ ଦାୟକ କୃଷି କରନ୍ତୁ । ଏହାଦ୍ୱାରା ଅଧିକ ଅମଳ କରିପାରିବେ ଓ ଆର୍ଥିକ ସ୍ତରରେ ଲାଭବାନ ମଧ୍ୟ ହୋଇପାରିବେ । ଚାଷ କ୍ଷେତ୍ରରେ ରୋଜଗାର ଦୁଇଗୁଣିତ ନୁହେଁ ବରଂ ବହୁ ଗୁଣିତ ବୃଦ୍ଧି ହେବ । ଏହି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ଅଛି, ତାହା ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀଠାରେ ୨୦ତମ କିସ୍ତି ପି.ଏମ୍ କିଷାନ କିସ୍ତି ବଣ୍ଟନ କରିଛନ୍ତି । ସାରା ଦେଶର ସର୍ବମୋଟ ୯.୭ କୋଟି ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ଯାଇଛି । ସମୁଦାୟ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଆଇ.ସି.ଏ.ଆର୍-ସିଫାଠାରେ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପି.ଏମ୍ କିଷାନ ସହାୟତା ରାଶି ବାଣ୍ଟିଛନ୍ତି । ରାଜ୍ୟର ପ୍ରାୟ ୩୪ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱ କୃଷକଙ୍କୁ ମୋଟ ୬୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଚାଷୀ ଭାଇ ଭଉଣୀଙ୍କ ସରକାର । ସରକାର ମାତ୍ର ବର୍ଷକ ମଧ୍ୟରେ ଆପଣମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସି.ଏମ୍ କିଷାନରେ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀ ବର୍ଷକୁ ୪୦୦୦ ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି । ପି.ଏମ୍ କିଷାନ ଓ ସି.ଏମ୍ କିଷାନକୁ ମିଶାଇ ଚାଷୀଭାଇମାନେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି । ପି.ଏମ୍ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । କୌଣସି ଯୋଗ୍ୟ ଚାଷୀ ଯେପରି ବଞ୍ଚିତ ନ ହୁଅନ୍ତି ସମସ୍ତ ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି ।
ନିୟମିତ କୃଷି କାର୍ଯ୍ୟ ସହିତ ଫସଲରେ ବିବିଧିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯେପରିକି ମତ୍ସ୍ୟ ଚାଷ ଓ ପଶୁପାଳନ ଭଳି ଲାଭ ଦାୟକ କୃଷି କରିବା ଦ୍ୱାରା ଅଧିକ ଅମଳ କରିପାରିବେ ଓ ଆର୍ଥିକ ସ୍ତରରେ ଲାଭବାନ ମଧ୍ୟ ହୋଇପାରିବେ । ଚାଷ କ୍ଷେତ୍ରରେ ରୋଜଗାର ଦୁଇଗୁଣିତ ନୁହେଁ ବରଂ ବହୁ ଗୁଣିତ ବୃଦ୍ଧି ହେବ । ଏହି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ଅଛି, ତାହା ପୂରଣ ହେବ ।
ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ରହିଛି । ତାଙ୍କ ନେତୃତ୍ୱରେ ଦେଶ ବର୍ତ୍ତମାନ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା କରୁଛି । କୃଷି କ୍ଷେତ୍ରରେ ମଧ୍ୟ ଭାରତ ବିକଶିତ ରାଷ୍ଟ୍ରମାନଙ୍କ ସହିତ ଧିରେ ଧିରେ ସମକକ୍ଷ ହେଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ଯୋଗଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ।
ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ଯେ ଓଡ଼ିଶାକୁ ଏଗ୍ରିକଲଚର ଟୁଡ଼େ ପୁରସ୍କାର ମିଳିଛି । ପିଏମ୍ କିଷାନ ରାଶିରେ ଚାଷୀମାନେ ବିହନ ସାର କିଣିବେ । ରାଜ୍ୟ ସରକାର କୃଷକଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ଚେଷ୍ଟିତ । ସେହିପରି ଉପମୁଖ୍ୟମନ୍ତ୍ରୀ ମଧ୍ୟ କେବଳ ଧାନ ଚଷ ନ କରି ବିଭିନ୍ନ ପ୍ରକାର ତୈଳବୀଜ ଚାଷ କରିବାକୁ ଅନୁରୋଧ କରିଛନ୍ତି । ପଇସା କମେଇବା ସହିତ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଜୈବିକ ଉପାୟରେ ଚାଷ କରିବା ଆବଶ୍ୟକ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ସିଂହଦେଓ ।
ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଡେପୁଟି ଡାଇରେକ୍ଟର ଜେନେରାଲ, ଆଇ.ସି.ଏ.ଆର୍ ଡକ୍ଟର ଜେ.କେ ଜେନା, ଆଇ.ସି.ଏ.ଆର୍-ସିଫା ନିର୍ଦ୍ଦେଶକ ଡକ୍ଟର ପି.କେ ସାହୁ ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।