ଲଣ୍ଡନ: ଓଭାଲର ଘାସ ଥିବା ପିଚରେ ଭାରତୀୟ ବ୍ୟାଟର ଦ୍ୱିତୀୟ ଦିନର ପ୍ରଥମ ସେସନର ଅଧ ଘଣ୍ଟାରେ ଆଣ୍ଠେଇଛନ୍ତି । ଇଂଲଣ୍ଡ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ଭାରତ ୨୨୪ ରନରେ ଅଲଆଉଟ୍ ହୋଇଛି । ୬ ୱିକେଟ୍ ହରାଇ ୨୦୪ ରନ କରିଥିବା ଭାରତ ମାତ୍ର ୧୮ ରନ ଭିତରେ ଅବଶିଷ୍ଟ ୪ ୱିକେଟ୍ ହରାଇଛି । ଭାରତୀୟ ଇନିଂସରେ କରୁଣ ନାୟର ସର୍ବାଧିକ ୫୭ ରନ କରିଥିବା ବେଳେ ସାଇ ସୁଦର୍ଶନ ୩୮ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଗସ ଏଟକିନସନ ୫ ୱିକେଟ ନେଇ ଭାରତର ବ୍ୟାଟିଂ ବିପର୍ଯ୍ୟ ଘଟାଇଛନ୍ତି ।
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୨୦୪ ରନ କରିଥିଲା । କ୍ରିଜରେ କରୁଣ ନାୟର ୫୨ ରନ ଓ ସୁନ୍ଦର ୧୯ ରନ କରି ଅପରାଜିତ ଥିଲେ । ହେଲେ ପ୍ରଥମ ଅଧ ଘଣ୍ଟାରେ ହିଁ ଭାରତୀୟ ବ୍ୟାଟର ଇଂଲଣ୍ଡ ବୋଲରଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲେ । ଦିନର ପ୍ରଥମ ବ୍ୟାଟର ଭାବେ କରୁଣ ନାୟର ୫୭ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ସୁନ୍ଦର ୨୬ ରନ କରି ଆଉଟ୍ ହୋଇଥିଲେ । ସିରଜ ଓ ପ୍ରସିଦ୍ଧ କୃଷ୍ଣା ଖାତା ଖୋଲି ପାରି ନ ଥିଲେ । ଶେଷରେ ଭାରତ ୨୨୪ ରନରେ ଅଲଆଉଟ୍ ହୋଇଛି ।
ଗସ ଏଟକିନସନ ଘାତକ ବୋଲିଂ ୫ ୱିକେଟ ନେଇ ଭାରତ ଇନିଂସର ଅନ୍ତ ଘଟାଇଛନ୍ତି । ଜୋଶ ଟଙ୍ଗକୁ ୩ଟି ୱିକେଟ ମିଳିଛି । ଏହା ପୂର୍ବରୁ ପ୍ରଥମ ଦିନରେ ଭାରତ ପକ୍ଷରୁ ସାଇ ସୁଦର୍ଶନ ୩୮ ରନ କରିଥିବା ବେଳେ ଅଧିନାୟକ ଶୁଭମନ ଗିଲ୍ ୨୧ ରନ କରି ରନଆଉଟ୍ ହୋଇଥିଲେ ।