ଓଭାଲ: ଆଣ୍ଡରନସ-ତେନ୍ଦୁଲକର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟ ଆସନ୍ତାକାଲି ଓଭାଲରେ ଖେଳାଯିବ । ଇଂଲଣ୍ଡ ଓ ଭାରତ ମଧ୍ୟରେ ଏହି ଟେଷ୍ଟ ନିର୍ଣ୍ଣାୟକ ହେବାକୁ ଯାଉଛି । ସିରିଜରେ ଘରୋଇ ଦଳ ୨-୧ରେ ଆଗୁଆ ରହିଛି । ଭାରତ ପାଖରେ ସିରିଜ୍ ଡ୍ର କରାଇବାର ସୁଯୋଗ ରହିଛି । ତେବେ ଏହି ମୁକାବିଲା ପାଇଁ ଭାରତୀୟ ଦଳରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଗୋଟିଏ ପରିବର୍ତ୍ତନ ଫିଟନେସ୍ ଏବଂ ତିନୋଟି ପରିବର୍ତ୍ତନ ଫର୍ମ କାରଣରୁ ହୋଇପାରେ ।
ସବୁଠୁ ବଡ ଝଟକା ଟିମ୍ ଇଣ୍ଡିଆର ଉପ ଅଧିନାୟକ ଋଭଷ ପନ୍ତ ଆହତ କାରଣରୁ ଶେଷ ଟେଷ୍ଟ ଖେଳି ପାରିବ ନାହିଁ । ତାଙ୍କର ଅନୁପସ୍ଥିତି ଦଳକୁ ବହୁତ ଅନୁଭୂତ ହେବ । ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ସୁଯୋଗ ମିଳିବ । ତେବେ ଏନ ଜଗଦୀଶନଙ୍କୁ ପନ୍ତଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି । କିନ୍ତୁ ତାଙ୍କର ସିଧାସଳଖ ଚୂଡାନ୍ତ ଏକାଦଶରେ ସାମିଲ ହେବାର ସମ୍ଭାବନା କ୍ଷୀଣ ରହିଛି ।
ଦ୍ୱିତୀୟ ସବୁଠୁ ବଡ ପରିବର୍ତ୍ତନ ଯଶପ୍ରୀତ ବୁମରାଙ୍କୁ ନେଇ ହୋଇପାରେ । କାର୍ଯ୍ୟଚାପ ଯୋଗୁଁ ସେ ଶେଷ ଟେଷ୍ଟରେ ବାହାରେ ବସିବେ । ତାଙ୍କର ଏହି ଗସ୍ତରେ ୩ଟି ଟେଷ୍ଟ ଖେଳିବାର ଯୋଜନା ଥିଲା, ଯାହା ସେ ଖେଳି ସାରିଛନ୍ତି । ଡାକ୍ତରୀ ଦଳ ମଧ୍ୟ ବୁମରାଙ୍କୁ ବିଶ୍ରାମ ନେବାକୁ କହି ଦେଇଛନ୍ତି । କାରଣ ଲଗାତାର ଦୁଇଟି ଟେଷ୍ଟ ଖେଳିବା ପରେ ତାଙ୍କ ଗତିରେ ଅହେତୁକ ହ୍ରାସ ଘଟିଛି । ଅଧିନୟକ ଗିଲ୍ ଓ କୋଚ୍ ଗମ୍ଭୀର ବୁମରାଙ୍କୁ ଖେଳାଇବାକୁ ଚାହିଁବେ । ମାତ୍ର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ତାରକା ବୋଲରଙ୍କୁ ଶେଷ ଟେଷ୍ଟରେ ବିଶ୍ରାମ ଦିଆଯାଇପାରେ । ବୁମରାଙ୍କ ବଦଳରେ ଖେଳିବେ ଆକାଶଦୀପ । ଏହି ବୋଲର ଖେଳିଥିବା ଦୁଇଟି ଟେଷ୍ଟରେ ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ଆହତ କାରଣରୁ ସେ ଗତ ଟେଷ୍ଟ ଖେଳି ପାରି ନ ଥିଲେ ।
ତୃତୀୟ ପରିବର୍ତ୍ତନ ଫର୍ମ କାରଣରୁ ହୋଇପାରେ । ମାଞ୍ଚେଷ୍ଟ ଟେଷ୍ଟରେ ଅଂଶୁଲ କମ୍ବୋଜଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିଥିଲା । ମାତ୍ର ସେ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି । ଏହି ପରି ଭାବେ ଏହି ବୋଲରଙ୍କୁ ବାହାରେ ବସିବାକୁ ପଡିପାରେ । ଅଂଶୁଲଙ୍କ ସ୍ଥାନରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ ଲାଗୁଛି ।
ଦଳରେ ଚତୁର୍ଥ ପରିବର୍ତ୍ତନ ଶାର୍ଦ୍ଦୁଳ ଠାକୁର ହୋଇ ପାରନ୍ତି । ଅଧିନାୟକ ଗିଲ୍ ଅଧିକ ବୋଲିଂ କରି ପାରି ନାହାନ୍ତି । ପ୍ରଥମ ଇନିଂସରେ ଶାର୍ଦ୍ଦୁଳ ୪୧ ରନର ଇନିଂସ ଖେଳିଥିଲେ । ତାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ । ଯଦି ମ୍ୟାନେଜମେଣ୍ଟ ଚାରି ଦ୍ରୁତ ବୋଲର ଖେଳାନ୍ତି ତେବେ କୁଲଦୀପ ଯାଦବଙ୍କୁ ଶେଷ ଟେଷ୍ଟରେ ଖେଳିବାକୁ ସୁଯୋଗ ମିଳିନ ପାରେ ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ(ୱିକେଟ୍ କିପର), ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଆକାଶ ଦୀପ, ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ।