ମାଞ୍ଚେଷ୍ଟର: ଇଂଲଣ୍ଡ ଯେତେବେଳେ ୬୬୯ ରନ କରି ୩୧୧ ରନ ଅଗ୍ରଣୀ ହାସଲ କଲା ଲାଗିଲା ଭାରତର ପରାଜୟ ଏକ ପ୍ରକାର ନିଶ୍ଚିତ । କାରଣ ଇଂଲଣ୍ଡ ମାଟିରେ ଦ୍ୱିତୀୟ ଇନିଂସରେ ରନ କରିବା ବହୁତ ମୁସ୍କିଲ ହୋଇଥାଏ । ପୁଣି ୩୦୦ରୁ ଅଧିକ ରନରେ ପଛରେ ରହିବା ପରାଜୟକୁ ଆଲିଙ୍ଗନ କରିବା ସହ ସମାନ । ମାତ୍ର ଭାରତୀୟ ଦଳ ବ୍ୟାଟର ଏମିତି ବ୍ୟାଟିଂ କରିଛନ୍ତି ଏବଂ ମ୍ୟାଚକୁ ଡ୍ର କରାଇବାରେ ସକ୍ଷମ ହୋଇଛି ତାହାକୁ ଦୀର୍ଘ ବର୍ଷ ଧରି ମନେ ରଖାଯିବ । ଚତୁର୍ଥ ଦିନରେ ଗିଲ୍ ଓ ରାହୁଲ ଲଢିଲେ ଏବଂ ପଞ୍ଚମ ଦିନରେ ଏହି ସଂଘର୍ଷକୁ ଆଗକୁ ନେଇ ଇଂଲଣ୍ଡ ବୋଲରଙ୍କୁ ନାକେଦମ କରିବା ସହ ମ୍ୟାଚ୍୍କୁ ବଞ୍ଚାଇବାରେ ସଫଳ ହୋଇଛି ଭାରତ । ଆଉ ଏହି ଭାରତର ଏହି ଅବିଶ୍ୱସନୀୟ ପ୍ରଦର୍ଶନ ପଛର ନାୟକ ହେଉଛନ୍ତି ଶୁଭମନ ଗିଲ୍, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର । ବିଶେଷ କରି ଶେଷ ଦିନରେ ଜାଡେଜା ଓ ସୁନ୍ଦର ନିଜର ନିଜର ଶତକ ହାସଲ କରିବା ସହ ପଞ୍ଚମ ୱିକେଟ୍ ପାଇଁ ଅପରାଜିତ ଦ୍ୱିଶତକୀୟ ଭାଗିଦାରୀ ଯୋଡି ଇଂଲଣ୍ଡର ମ୍ୟାଚ୍ ଜିତିବା ସ୍ୱପ୍ନକୁ ଚୂରମାର କରିଛନ୍ତି ।
ଭାରତ ପ୍ରଥମ ଇନିଂସରେ ୩୫୮ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ୬୬୯ ରନର ବିଶାଳ ସ୍କୋର କରି ୩୧୧ ରନରେ ଆଗୁଆ ରହିଥିଲା । ଜବାବରେ ଭାରତ ଦ୍ୱିତୀୟ ଦ୍ୱିତୀୟ ଇନିଂସରେ ପାଖାପାଖି ଦୁଇ ଦିନ ବ୍ୟାଟିଂ ମ୍ୟାଚ୍ ଡ୍ର କରାଇବାରେ ସକ୍ଷମ ହୋଇଛି । ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ଅଧିନାୟକ ଶୁଭମନ ଗିଲ୍ ୧୦୩ ରନ କରିଥିବା ବେଳେ ଜାଡେଜା ଅପରାଜିତ ୧୦୭ ରନ ଓ ସୁନ୍ଦର ଅପରାଜିତ ୧୦୧ ରନ କରି ଇଂଲଣ୍ଡକୁ ମ୍ୟାଚ୍ ଡ୍ର ଘୋଷଣା କରାଇବାକୁ ବାଧ୍ୟ କରିଥିଲେ ।
ଭାରତ ଚତୁର୍ଥ ଦିନର ଅସମାପ୍ତ ଖେଳ ୧୭୪/୪ରେ ବ୍ୟାଟିଂ ଆରମ୍ଭ କରିଥିଲା । କ୍ରିଜରେ ଗିଲ୍ ୭୮ ରନ ଓ ରାହୁଲ ୮୭ ରନ କରି ଅପରାଜିତ ଥିଲେ । ତେବେ ସେସନର ଆରମ୍ଭରୁ ରାହୁଲ ୯୦ ରନ କରି ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ୍ ହୋଇଥିଲେ । ଏହା ପରେ ଗିଲ୍ ଶତକ ହାସଲ କରିବା ପରେ ପରେ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ । ଦୁଇ ସେଟ୍ ବ୍ୟାଟର ହେବା ଭାରତକୁ ପୁଣି ଥରେ ପରାଜୟର ଆଶଙ୍କାରେ ପକାଇଥିଲା । ଏହା ପରେ ଜାଡେଜା ଓ ସୁନ୍ଦର ଯେଉଁଭଳି ବ୍ୟାଟିଂ କଲେ ତାହା ଭାରତୀୟ କ୍ରିକେଟ୍ ଇତିହାସରେ ଏକ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ । ଦୁଇ ବ୍ୟାଟର ବେଶ ସତର୍କତାର ସହ ବ୍ୟାଟିଂ କରି କ୍ରିଜରେ ଜମିବାକୁ ଚେଷ୍ଟା କରିଥିଲେ । ସେଟ୍ ହେବା ପରେ ନ କରିବା ଆରମ୍ଭ କରିଥିଲେ ।
ପ୍ରଥମ ସେସନରେ ଭାରତ ରାହୁଲ ଓ ଗିଲଙ୍କ ୱିକେଟ୍ ହରାଇଥିଲେ ହେଁ ଜାଡେଜା ଓ ସୁନ୍ଦର ଭାରତର ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ । ଓଭର ପରେ ଓଭର ଏବଂ ସେସନ ପରେ ସେସନ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କୁ ଥକାଇ ଦେଇଥିଲେ ଜାଡେଜା ଓ ସୁନ୍ଦର । ଏହି କ୍ରମରେ ଦୁଇ ବ୍ୟାଟର ନିଜ ନିଜର ଶତକ ହାସଲ କରଥିଲେ । ଉଭୟ ପଞ୍ଚମ ୱିକେଟରେ ଅବିଭାଜିତ ୨୦୩ ରନ ଯୋଡି ଭାରତକୁ ପରାଜୟରୁ ବଞ୍ଚାଇବା ସହ ମ୍ୟାଚ୍ ଡ୍ର କରାଇଥିଲେ ।