ନୂଆଦିଲ୍ଲୀ: ବାଂଲାଦେଶ ଦଳ ଚଳିତ ମାସରେ ଭାରତ ଗସ୍ତରେ ଆସିବ। ଏହି ଗସ୍ତକାଳରେ ଭାରତ ସହିତ ୨ଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ଟେଷ୍ଟ ସିରିଜରେ ପାକିସ୍ତାନକୁ ପରାସ୍ତ କରିବା ପରେ ବାଂଲାଦେଶ ଉତ୍ସାହରେ ରହିଛି।
ଅନ୍ୟପକ୍ଷରେ ଗୌତମ ଗମ୍ଭୀର ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ହେବା ପରେ ପ୍ରଥମ ଟେଷ୍ଟ ସିରିଜ୍ ହୋଇଛନ୍ତି। ଏଭଳି ସ୍ଥିତିରେ ଗମ୍ଭୀରଙ୍କ ମଧ୍ୟ ପରୀକ୍ଷା କରାଯିବ। ସିରିଜ୍ ପୂର୍ବରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଗୌହାଟୀର କାମାକ୍ଷା ମନ୍ଦିର ପରିଦର୍ଶନ କରିଥିଲେ।
ଗମ୍ଭୀର କାମାକ୍ଷା ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଗମ୍ଭୀରଙ୍କର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକରେ ଗମ୍ଭୀର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳୁଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସମୟରେ ଗମ୍ଭୀର ମା' କାମାକ୍ଷାଙ୍କୁ ମଧ୍ୟ ଭେଟିଥିଲେ। ସୂଚନାଯୋଗ୍ୟ, ଭାରତ ଓ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଟେଷ୍ଟ ପରେ ଟି-୨୦ ସିରିଜ୍ ଖେଳାଯିବ।
ସେପ୍ଟେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ସେପ୍ଟେମ୍ବର ୨୭ରୁ ଆରମ୍ଭ ହୋଇ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ କାନପୁରର ଗ୍ରୀନ୍ ପାର୍କରେ ଖେଳାଯିବ। ପ୍ରଥମ ଟି-୨୦ ଅକ୍ଟୋବର ୭ରେ ଗ୍ୱାଲିୟରରେ, ଦ୍ବିତୀୟ ଟି-୨୦ ଅକ୍ଟୋବର ୧୦ରେ ଦିଲ୍ଲୀରେ ଏବଂ ତୃତୀୟ ଟି-୨୦ ଅକ୍ଟୋବର ୧୨ରେ ହାଇଦ୍ରାବାଦରେ ଖେଳାଯିବ।
ଅଧିକ ପଢ଼ନ୍ତୁ: ବିସିସିଆଇର ବଡ଼ ଘୋଷଣା: ଅଜୟ ରାତ୍ରା ଟିମ୍ ଇଣ୍ଡିଆର ଚୟନକର୍ତ୍ତା