ନୂଆଦିଲ୍ଲୀ: ଅଜୟ ରାତ୍ରାଙ୍କୁ ଭାରତୀୟ ଦଳର ଚୟନକର୍ତ୍ତା ଭାବେ ନିଯୁକ୍ତି କରିଛି ବିସିସିଆଇ। ଅଜୟ ରାତ୍ରା ବର୍ତ୍ତମାନ ସଲିଲ ଅଙ୍କୋଲାଙ୍କ ସ୍ଥାନ ନେବେ। ରାତ୍ରା ଭାରତ ପକ୍ଷରୁ ୨୦୦୨ରେ ୬ଟି ଟେଷ୍ଟ ଓ ୧୨ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ବର୍ତ୍ତମାନ ମୁଖ୍ୟ ଚୟନକର୍ତ୍ତା ଥିବା ଅଜିତ ଅଗରକରଙ୍କ ସହ ମିଶି ଦଳ ଚୟନ କରିବେ। ତାଙ୍କର ଘରୋଇ କ୍ରିକେଟ୍ର ବେଶ ଅଭିଜ୍ଞତା ରହିଛି। ବିସିସିଆଇ ଏହି ନିଷ୍ପତ୍ତି ଦଲୀପ ଟ୍ରଫି ଆରମ୍ଭ ହେବାର ଠିକ୍ ପୂର୍ବରୁ ନେଇଛି।
ଅଜୟ ରାତ୍ରା ହରିୟାଣାର ଏବଂ ଜଣେ ଓ୍ଵିକେଟ୍ କିପର ବ୍ୟାଟର। ବିସିସିଆଇ ନିଜର ପ୍ରେସ୍ ରିଲିଜ୍ରେ କହିଛି, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର କ୍ରିକେଟ୍ ପରାମର୍ଶଦାତା କମିଟି(ସିଇସି) ଅଜୟ ରାତ୍ରାଙ୍କୁ ପୁରୁଷ ଚୟନ କମିଟିର ନୂତନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ରାତ୍ରା ବେଶ ଅଭିଜ୍ଞ ସଂପନ୍ନ ଏବଂ ତାଙ୍କର ପ୍ରଭାବଶାଳୀ ଟ୍ରାକ ରେକର୍ଡ ରହିଛି। ଚୟନକର୍ତ୍ତା ଭାବେ ସେ ବର୍ତ୍ତମାନର ଚୟନ କମିଟି ସହ ମିଶି କାମ କରିବେ। ହରିୟାଣା ପାଇଁ ୯୯ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୪୦୨୯ ରନ କରିଛନ୍ତି। ଏଥିରେ ୮ ଶତକ ଓ ୧୭ ଅର୍ଦ୍ଧଶତକ ସାମିଲ। ରାତ୍ରା ବୋଲିଂରେ ୨୪୦ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।
୪୨ ବର୍ଷୀୟ ଅଜୟ ରାତ୍ରା ଆସାମ, ପଞ୍ଜାବ ଓ ଉତ୍ତର ପ୍ରଦେଶର ମୁଖ୍ୟ କୋଚ୍ ଭାବେ କାମ କରିଛନ୍ତି। ସେ ୨୦୨୩ରେ ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ୍ରେ ଭାରତୀୟ ଦଳର କୋଚିଂ ଷ୍ଟାଫର ସଦସ୍ୟ ଥିଲେ। ରାତ୍ରା ଗୁରୁବାର ନିଜର ଦାୟିତ୍ଵ ସମ୍ଭାଳିବେ। ଭାରତୀୟ ଦଳର ଚୟନକର୍ତ୍ତା ନିଯୁକ୍ତ ହେବା ପରେ ପିଟିଆଇ ସହ ଆଲୋଚନା ବେଳେ ରାତ୍ରା କହିଛନ୍ତି, ଏହା ବହୁତ ବଡ ସମ୍ମାନର ବିଷୟ ଏବଂ ଚ୍ୟାଲେଞ୍ଜିଂ ମଧ୍ୟ। ମୁଁ ଭାରତୀୟ କ୍ରିକେଟ୍ ଦଳରେ ଯୋଗଦାନ ଦେବାକୁ ଉତ୍ସୁକ।
ଭାରତ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ୍ ଏବଂ ୨ଟି ଟି-୨୦ ମ୍ୟାଚ୍ ଖେଳିବ। ଏହି ସିରିଜ୍ ପାଇଁ ଦଳ ଚୟନରେ ରାତ୍ରା ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇ ପାରନ୍ତି। ଏହାପରେ ଭାରତ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫି ଖେଳିବ।