ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶେଷରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ନ କରାଯିବା ଉପରେ ମୁହଁ ଖୋଲିଛନ୍ତି । ବୁମରା କହିଛନ୍ତି ସେ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଗସ୍ତରେ ଅଧିନାୟକ ଭାର ସମ୍ଭାଳିବାର ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେ ମନା କରିବା ପରେ ବିସିସିଆଇ ବ୍ୟାଟର ଶୁଭମନ ଗିଲଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଥିଲା । ବୁମରା ଇଂଲଣ୍ଡ ଗସ୍ତରେ ଅଧିନାୟକତ୍ୱକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି ।
୩୧ ବର୍ଷୀୟ ବୁମରା ସ୍କାଇ ସ୍ପୋର୍ଟ୍ସରେ କହିଛନ୍ତି ଯେ, ରୋହିତ ଓ ବିରାଟଙ୍କ ଆଇପିଏଲ୍ ସମୟରେ ଟେଷ୍ଟରୁ ଅବସର ନେବା ପୂର୍ବରୁ ମୁଁ ବିସିସିଆଇ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ନିଜର କାର୍ଯ୍ୟଚାପ ଉପରେ ଆଲୋଚନା କରିଥିଲି । ମୁଁ ଡାକ୍ତରୀ ଟିମ୍ ସହ ଆଲୋଚନା କଲି, ଯେଉଁମାନେ ମୋ ପିଠିର ସର୍ଜରୀ କରିଥିଲେ । ମୁଁ ସର୍ଜନଙ୍କ ସହ କଥା ହେଲି । ସର୍ଜନ ମୋତେ ସର୍ବଦା କହି ଆସିଛନ୍ତି ଯେ, ମୋତେ ନିଜର କାର୍ଯ୍ୟଭାରକୁ ନେଇ ସ୍ମାର୍ଟ ହେବାକୁ ପଡିବ । ଏସବୁକୁ ଦୃଷ୍ଟିରେ ମୋତେ ନିଜର ଫିଟନେସକୁ ନେଇ ସତର୍କ ହେବାକୁ ପଡୁଛି । ତେଣୁ ମୁଁ ବିସିସିଆଇକୁ ଅଧିନାୟକ ଦାୟିତ୍ୱ ନିଭାଇବାକୁ ଚାହୁଁ ନ ଥିବା କହିଛି । କାରଣ ମୁଁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ସମସ୍ତ ମ୍ୟାଚ୍ ଖେଳି ପାରିବି ନାହିଁ ।
ସେ ଏହା ମଧ୍ୟ କହିଛନ୍ତି, ନିଶ୍ଚିତ ଭାବେ ମୁଁ ଅଧିନାୟକ ପଦ ଭାବେ ବିସିସିଆଇ ନଜରରେ ପ୍ରଥମ ପସନ୍ଦ ଥିଲି । ମାତ୍ର ମୋତେ କହିବାକୁ ପଡିଲା ଯେ, ମୁଁ ଏହି ପଦ ପାଇଁ ଠିକ୍ ନୁହେଁ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ତିନୋଟି ମ୍ୟାଚରେ ମୁଁ ଅଧିନାୟକ ରହିବି ଏବଂ ଅନ୍ୟ ଦୁଇଟି ମ୍ୟାଚରେ ଅନ୍ୟ କେହି ଦଳର ନେତୃତ୍ୱ ନେବେ, ଏହା ଦଳର ହିତ ପାଇଁ ଉଚିତ୍ ନୁହେଁ । ଆଉ ମୁଁ ସର୍ବଦା ଦଳକୁ ଉପରେ ରଖି ଆସିଛି । ଉଲ୍ଲେଖନୀୟ ବୁମରା ଅଷ୍ଟ୍ରେଲିଆ ଗସ୍ତର ଶେଷ ଟେଷ୍ଟରେ ଆହତ ହୋଇଥିଲେ । ପିଠିରେ ଆଘାତ ଲାଗିବା କାରଣରୁ ସେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳି ପାରି ନ ଥିଲେ ।