ଅହମ୍ମଦାବାଦ: ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟଧାରା ଉପରେ ଲାଗିଲା ବ୍ରେକ । ସୁପର-୮ର ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ଭାବେ ହାରିଛି ଭାରତ । ବ୍ୟାଟରଙ୍କ ଦୟନୀୟ ପ୍ରଦର୍ଶନ ଯୋଗୁଁ ଭାରତକୁ ୨୦୨୩ ଦିନିକିଆ ବିଶ୍ୱ କପର ଫାଇନାଲ୍ ପରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ପରାଜୟର ମୁହଁ ଦେଖିବାକୁ ପଡିଛି । ବ୍ୟାଟର ଏବଂ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ୭୬ ରନରେ ଭାରତକୁ ହରାଇଛି । ୧୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୧୧ ରନରେ ଅଲଆଉଟ୍ ହୋଇଛି । ଶିବମ ଦୁବେ(୪୨ ରନ)ଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ନିରାଶ କରିଛନ୍ତି ।
୧୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଟପ୍ ଅର୍ଡରରୁ କୌଣସି ବ୍ୟାଟର ଲଢୁଆ ଖେଳ ଦେଖାଇ ନ ଥିଲେ । ଶିବମ ଦୁବେଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲେ । ଇଶାନ କିଶନ ଖାତା ଖୋଲି ପାରି ନ ଥିଲେ । ତିଳକ ବର୍ମା(୧ ରନ) ବହୁତ ନିରାଶ କରିଥିଲେ । ଅଭିଷେକ ଶର୍ମା ୧୫ ରନ କରିଥିଲେ ହେଁ ଦଳକୁ ପୁଣି ନିରାଶ କରିଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜର ଅଧିନାୟକତ୍ୱ ଇନିଂସ ଖେଳି ପାରି ନ ଥିଲେ । ୱାଶିଂଟନ ସୁନ୍ଦର ୧୧ ରନ କରି ଆଉଟ୍ ହୋଇଥିଲେ ।
ଶିବମ ଦୁବେ ଏକାକୀ ଦଳ ପାଇଁ ସଂଘର୍ଷ କରିଥିଲେ ହେଁ ଅନ୍ୟ ପାଶ୍ୱର୍ରୁ କେହି ସହଯୋଗ କରି ନ ଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରିଥିଲେ ହେଁ ବଡ ଇନିଂସ ଖେଳି ପାରି ନ ଥିଲେ । ଦୁବେ ୪୨ ରନ କରି ନବମ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ । ଏଥିସହ ଭାରତ ୧୧୧ ରନରେ ଅଲଆଉଟ୍ ହୋଇଥିଲା । ଘରୋଇ ମାଟିରେ ଦଳ ୭୬ ରନରେ ବିଶାଳ ବ୍ୟବଧାନରେ ପରାସ୍ତ ହୋଇଛି । ବୋଲିଂରେ ମାର୍କୋ ଜନସେନ ୨୨ ରନ ଦେଇ ୪ ସଫଳତା ପାଇଥିଲେ । କେଶବ ମହାରାଜ ୩ ଏବଂ କୋର୍ବିନ ବୋଶ ୨ଟି ୱିକେଟ୍ ନେଇଥିଲେ ।