ଦୁବାଇ: ସୁପର-୪ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୪ ଓ୍ଵିକେଟରେ ହରାଇଛି ବାଂଲାଦେଶ। ଏହି ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମୁକାବିଲା ଜିତି ୨ ପଏଣ୍ଟ ହାସଲ କରିଛି ବାଂଲାଦେଶ। ଦଳର ବିଜୟରେ ହିରୋ ସାଜିଛନ୍ତି ସୈଫ ହସନ ଓ ଟୋହିଦ ହୃଦୟ। ଶ୍ରୀଲଙ୍କା ଦ୍ଵାରା ଧାର୍ଯ୍ୟ ୧୬୯ ରନର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ୧୯.୫ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ସୈଫ ହସନ ୬୧ ରନ ଓ ହୃଦୟ ୫୮ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦାସୁନ ସନାକାଙ୍କ ୬୪ ରନ ଓ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଇନିଂସ ବଳରେ ୭ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା।
୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶର ଆରମ୍ଭ ନିରାଶଜନକ ଥିଲା। ଦଲ ପ୍ରଥମ ଓଭରରେ ହିଁ ତଞ୍ଜିଦ ହସନ ତମିମ(୦)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ସୈଫ ହସନ ଓ ଲିଟନ ଦାସ ଇନିଂସ ସମ୍ଭାଳିଥିଲେ। ଉଭୟ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ରେ ୫୯ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ। ଅଧିନାୟକ ଲିଟନ ଦାସ ୨୩ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ସୈଫ ଓ ଟୋହିଡ ହୃଦୟ ତୃତୀୟ ଓ୍ଵିକେଟ୍ ଭାଗିଦାରୀରେ ୫୪ ରନ ଯୋଡ଼ି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ସୈଫ ୪୫ ବଲରୁ ୨ ଚୌକା ଓ ୪ ଛକା ଜରିଆରେ ୬୧ ରନର ମହତ୍ଵପୂର୍ଣ୍ଣ ପାଳି ଖେଳିଥିଲେ।
ତାଙ୍କ ଆଉଟ୍ ପରେ ଟୋହିଡ ହୃଦୟ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ହୃଦୟ ୩୭ ବଲରୁ ୪ ଚୌକା ଓ ୨ ଛକା ଜରିଆରେ ୫୮ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। କିନ୍ତୁ ବାଂଲାଦେଶ ଶେଷ ଆଡ଼କୁ ଲଗାତାର ୩ ଓ୍ଵିକେଟ୍ ହରାଇବାରୁ ଶେଷ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଶେଷ ଓଭରରେ ଦଳକୁ ୫ ରନ ଦରକାର ଥିଲେ ହେଁ ଏହା ମୁସ୍କିଲ ହୋଇଥିଲା। ଶେଷରେ ୧୯.୫ ଓଭରରେ ୬ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି ବାଂଲାଦେଶ। ଶାମିମ ହୁସେନ ୧୪ ରନ କରି ଅପରାଜିତ ଥିଲେ।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଶ୍ରୀଲଙ୍କା। ଓପନର ପଥୁନ ନିଶଙ୍କା ୨୨ ରନ ଓ କୁଶଲ ମେଣ୍ଡିସ ୩୪ ରନ କରି ଦଲକୁ ଭଲ ଆରମ୍ଭ ଦେଇଥିଲେ। ମଧ୍ୟକ୍ରମରେ ଦଳ ସଂଘର୍ଷ କରିଥିଲେ ହେଁ ଦାସୁନ ଶନାକା ୬୪ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳି ଦଳର ସ୍କୋରକୁ ୧୬୮ ରନରେ ପହଞ୍ଚାଇଥିଲେ। ଅଧିନାୟକ ଚରିଥ ଅସଲଙ୍କା ୨୧ ରନ ଓ କୁଶଲ ପେରେରା ୧୬ ରନ କରିଥିଲେ। ସବୁଠୁ ବଡ଼ କଥା ଶ୍ରୀଲଙ୍କା ଲିଗ୍ ପର୍ଯ୍ୟାୟରେ ଆଫଗାନିସ୍ତାନକୁ ହରାଇବାରୁ ବାଂଲାଦେଶ ସୁପର-୪ରେ ପ୍ରବେଶ କରିଛି। ଆଉ ଆଜି ସେହି ବାଂଲାଦେଶ ଶ୍ରୀଲଙ୍କାର ଶିକାର କରିଛି।
Also read- ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ନାଟକବାଜି ଆରମ୍ଭ, ରଦ୍ଦ କଲା ପ୍ରେସ କନଫରେନ୍ସ