ଦୁବାଇ: ଏସିଆ କପ୍ ୨୦୨୫ରେ ପୁଣି ଥରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତ । ଓପନର ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ସୁପର-୪ର ମୁକାବିଲାରେ ପାକିସ୍ତାନକୁ ୬ ୱିକେଟରେ ହରାଇଛି । ଅଭିଷେକ ଶର୍ମା ୭୪ ରନର ଧୂଆଁଧାର ଇନିଂସ ଖେଳି ବିଜୟରେ ହିରୋ ସାଜିଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୭୧ ରନ କରିଥିଲା । ଦଳ ପକ୍ଷରୁ ସାହିବଜାଦା ଫରହାନ ୫୮ ରନର ଇନିଂସ ଖେଳିଥିଲେ । ଜବାବରେ ଭାରତ ୧୮.୫ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚକୁ ଜିତି ନେଇଛି । ଅଭିଷେକଙ୍କ ବ୍ୟତୀତ ଉପଅଧିନାୟକ ଶୁଭମନ ଗିଲ୍ ୪୭ ରନ ଓ ତିଳକ ବର୍ମା ଅପରାଜିତ ୩୦ ରନର ମହତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ଏହି ମ୍ୟାଚ୍ ଜିତି ଭାରତ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ।
୧୭୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ଶୁଭମନ ଗିଲ୍ ପାକିସ୍ତାନ ବୋଲରଙ୍କୁ ଏମିତି ପ୍ରହାର କରିଥିଲେ ଯେ, ପ୍ରତିପକ୍ଷ ଦଳ ଅନେକ ବର୍ଷ ଧରି ଏହାକୁ ମନେ ରଖିବେ । ଦୁଇ ବ୍ୟାଟର ୧୦ ଓଭରରେ ଓପନିଂରେ ୧୦୫ ରନ ଯୋଡି ଦଳର ବିଜୟ ନିଶ୍ଚିତ କରିଥିଲେ । ଶୁଭମନ ଗିଲ୍ ୨୮ ବଲରୁ ୮ ଚୌକା ଜରିଆରେ ୪୭ ରନ କରି ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ଅନ୍ୟପଟେ ଅଭିଷେକ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖିିଥିଲେ ।
ତେବେ ତାଙ୍କୁ ଆଉଟ୍ କରି ପାକିସ୍ତାନକୁ ବଡ ସଫଳତା ଦେଇଥିଲେ ଅବରାର ଅହମ୍ମଦ । ତେବେ ସେତେବେଳକୁ ବହୁତ ବିଳମ୍ବ ହେଇ ସାରିଥିଲା । ଅଭିଷେକ ମାତ୍ର ୩୯ ବଲରୁ ୬ ଚୌକା ଓ ୫ ଛକା ସହ ୭୪ ରନର ଧମାକାଦାର ଇନିଂସ ଖେଳିଥିଲେ । ଏହା ପରେ ଭାରତୀୟ ରନ ଗତି ଧିମା ପଡିଥିଲ।। ସଞ୍ଜୁ ସାମସନ ୧୭ ବଲରୁ ୧୩ ରନ କରି ନିରାଶ କରିଥିଲେ । ଶେଷ ଆଡକୁ ମ୍ୟାବ୍ ରୋମାଞ୍ଚକର ହୋଇଥିଲେ ହେଁ ତିଳକ ବର୍ମା ୧୯ ବଲରୁ ଅପରାଜିତ ୩୦ ରନ କରି ଭାରତକୁ ଜିତାଇଛନ୍ତି । ଏଥିରେ ୨ ଚୌକା ଓ ୨ ଛକା ସାମିଲ । ହାର୍ଦ୍ଦିକ ପାଣ୍ଡ୍ୟା ୭ ରନ କରି ଅପରାଜିତ ଥିଲେ । ଶେଷରେ ଭାରତ ୧୮.୫ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚକୁ ସହଜରେ ଜିତି ନେଇଛି । ବୋଲିଂରେ ପାକିସ୍ତାନ ପକ୍ଷରୁ ହାରିସ ରଉଫ ୨୬ ରନ ଦେଇଟି ଦୁଇଟି ୱିକେଟ୍ ନେଇଛନ୍ତି ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ପାକିସ୍ତାନ ବ୍ୟାଟିଂ କରି ୫ ୱିକେଟ ହରାଇ ୧୭୧ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ସାହିବଜାଦା ଫରହାନ ୫୮ ରନର ଦମଦାର ଇନିଂସ ଖେଳିଥିଲେ । ଫଖର ଜମାନ ୧୫ ରନ, ସାଇମ ଆୟୁବ ୨୧ ରନ, ମହମ୍ମଦ ନୱାଜ ୨୧ ରନ କରିଥିଲେ । ଅଧିନାୟକ ସଲମାନ ଅଲୀ ଆଗା ୧୭ ରନ ଓ ଫହିମ ଅଶ୍ରଫ ୮ ବଲରୁ ୨୦ ରନ କରିଥିଲେ । ବୋଲିଂରେ ଭାରତ ପକ୍ଷରୁ ସଫଳ ବୋଲର ଭାବେ ଶିବମ ଦୁବେ ୩୩ ରନ ଦେଇ ୨ଟି ୱିକେଟ ନେଇଥିଲେ ।