ନୂଆଦିଲ୍ଲୀ: ବ୍ୟାଟର ଓ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଦ୍ଵିତୀୟ ଟି-୨୦କୁ ସହଜରେ ଜିତି ନେଇଛି ଭାରତୀୟ ଦଳ। ନୀତିଶ ରେଡ୍ଡୀ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଭ୍ରମଣକାରୀ ବାଂଲାଦେଶକୁ ୮୬ ରନରେ ହରାଇଛି । ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ। ନୀତିଶ ରେଡ୍ଡୀଙ୍କ ୭୪ ରନ ଓ ରିଙ୍କୁ ସିଂଙ୍କ ୫୩ ରନର ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୨୧ ରନ କରିଥିଲା । ଜବାବରେ ବାଂଲାଦେଶ ୯ ଓ୍ଵିକେଟ୍ ହରାଇ ୧୩୫ ରନ କରି କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ମହମୁଦୁଲ୍ଲା ସର୍ବାଧିକ ୪୧ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ୨୦ ରନ ବି ଟପି ପାରି ନାହାନ୍ତି। ଏଥିସହ ଭାରତୀୟ ଦଳ ଘରୋଇ ମାଟିରେ ଲଗାତାର ସପ୍ତମ ଟି-୨୦ ସିରିଜ୍ ଜିତି ପାରିଛି।
୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶ ଭଲ ଆରମ୍ଭ କରିଥିଲା। ତେବେ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲେ। ମଧ୍ୟକ୍ରମରେ ମହମୁଦୁଲ୍ଲାଙ୍କ ୪୧ ରନର ଇନିଂସକୁ ବାଦ୍ ଦେଲେ ବାକି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ । ପରଭେଜ ହୁସେନ ଇମୋନ ୧୬ ରନ, ମେହଦି ହସନ ମିରାଜ ୧୬ ରନ ଓ ଲିଟନ ଦାସ ୧୪ ରନ କରିଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ଓଭରରେ ୯ ବ୍ୟାଟର ହରାଇ ୧୩୫ ରନ କରି ପାରିଥିଲା ।
ବୋଲିଂରେ ଭାରତ ପକ୍ଷରୁ ନୀତିଶ ରେଡ୍ଡୀ ୪ ଓଭରରେ ୨୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ବରୁଣ ଚକ୍ରବର୍ତ୍ତୀ ୧୯ ରନ ଦେଇ ୨ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଅର୍ଶଦୀପ ସିଂ, ଓ୍ଵାଶିଂଟନ ସୁନ୍ଦର, ଅଭିଷେକ ଶର୍ମା, ମୟଙ୍କ ଯାଦବ ଓ ରିୟାନ ପରାଗ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଆରମ୍ଭରୁ ଡବଲ ଝଟକା ଲାଗିଥିଲା। ଓପନର ସଞ୍ଜୁ ସାମସନ(୧୦) ଓ ଅଭିଷେକ ଶର୍ମା(୧୫)ରନ କରି ଆଉଟ ହୋଇଥିଲେ। ଅଧିନାୟକ ସୂର୍ୟ୍ୟ କୁମାର ଯାଦବ(୮) ଆଜି କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ୪୧ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଦଳର ରନ ଗତି ଧିମେଇ ଯାଇଥିଲା। ତେବେ ମଧ୍ୟକ୍ରମରେ ନୀତିଶ ରେଡ୍ଡୀ ଓ ରିଙ୍କୁ ସିଂ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ । ଦୁଇ ବ୍ୟାଟର ବାଂଲାଦେଶ ବୋଲରଙ୍କୁ ପ୍ରହାର କରି ୧୦୮ ରନର ଶତକୀୟ ଇନିଂସ ଯୋଡ଼ିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ଅର୍ଦ୍ଧଶତକ ହାସଲ କରିଥିଲେ।
ନୀତିଶ ୩୪ ବଲରୁ ୪ ଚୌକା ଓ ୭ ଛକା ବଳରେ ୭୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ରିଙ୍କୁ ସିଂ ୨୯ ବଲରୁ ୫ ଚୌକା ଓ ୩ ଛକା ସହ ୫୩ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରୁ ୩୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଭାରତ ଶେଷ ଆଡ଼କୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଲକ୍ଷ୍ୟରେ ୪ ଓ୍ଵିକେଟ୍ ହରାଇଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୨୧ ରନର ବିଶାଳ ସ୍କୋର କରିଥିଲା ।