ନୂଆଦିଲ୍ଲୀ: ଆଜି ଗୋଟିଏ ପଟେ ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେଉଥିବା ବେଳେ ଅନ୍ୟପଟେ ୩ୟ ଟି-୨୦ରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ପ୍ରଥମ ଟି-୨୦ ବର୍ଷାରେ ଧୋଇଯିବା ପରେ ୨ୟ ଟି-୨୦ରେ ଶୋଚନୀୟ ପରାଜୟ ଭୋଗିଥିଲା ଭାରତ । ଫଳରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ରହିଛି ଘରୋଇ ଦଳ ଅଷ୍ଟ୍ରେଲିଆ । ତେଣୁ ଆଜିର ମ୍ୟାଚ୍ ଜିତିବା ଭାରତ ପାଇଁ ଜରୁରୀ । ଜିତିଲେ ସିରିଜ ବରାବର ହେବା ସହ ଶୃଙ୍ଖଳା ହାତେଇବାର ସୁଯୋଗ ରହିବ । ଆଜିର ମ୍ୟାଚ୍ ହାରିଲେ ଭାରତକୁ ଅବଶିଷ୍ଟ ମ୍ୟାଚ୍ ଜିତି ସିରିଜ ଡ୍ର କରାଇବାକୁ ପଡିବ ।
ଦୀର୍ଘ ୧୭ ବର୍ଷ ପରେ ଐତିହାସିକ ମେଲବର୍ଣ୍ଣରେ ଭାରତ ପରାଜିତ ହୋଇଥିଲା । ଦ୍ୱିତୀୟ ଟି-୨୦ରେ ଅଭିଷେକ ଶର୍ମାଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ବିଫଳ ହୋଇଥିଲେ । ଦଳ ମାତ୍ର ୧୨୫ ରନ କରିଥିଲା । ଯାହାକୁ ବଞ୍ଚାଇବା ବୋଲରଙ୍କ ପକ୍ଷେ କଷ୍ଟକର ଥିଲା । ତଥାପି ବୋଲର ଅଷ୍ଟ୍ରେଲିଆର ୬ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ । ତେବେ ଭାରତର ପରାଜୟ ପଛରେ ଦୁଇଟି କାରଣ ହେଉଛି ବ୍ୟାଟର ବିଫଳତା ଏବଂ ଖରାପ ଚୂଡାନ୍ତ ଏକାଦଶ ଚୟନ । ଏହା ସହ ବ୍ୟାଟିଂକ୍ରମରେ ନିରନ୍ତରତାର ଅଭାବ । କାରଣ ଗମ୍ଭୀରଙ୍କ କୋଚିଂ ସମୟରେ କେଉଁ କ୍ରମରେ କେଉଁ ବ୍ୟାଟର ଖେଳିବେ ତାହା ବୁଝିବା କଷ୍ଟକର । ଖୋଦ୍ ବ୍ୟାଟର ବି ଜାଣି ନ ଥିବ ସେ କେଉଁ ଅର୍ଡରରେ ବ୍ୟାଟିଂ କରିବ । ଏହାର ପ୍ରଭାବ ଖେଳାଳିଙ୍କ ମାନସିକ ଏବଂ ପ୍ରଦର୍ଶନ ଉପରେ ପଡୁଛି ।
ଆଜି ତୃତୀୟ ଟି-୨୦ରେ ଭାରତର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଅକ୍ଷର ପଟେଲ କିମ୍ବା ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅର୍ଶଦୀପଙ୍କୁ ସାମିଲ କରାଯାଇପାରେ । ହୋଇପାରେ କୁଲଦୀପ ଯାଦବଙ୍କୁ ବସାଇ ଅର୍ଶଦୀପଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ । ବେଲେରିଭ ଓଭାଲ ଷ୍ଟାଡିୟମର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଆରମ୍ଭରୁ ଏଠାରେ ଦ୍ରୁତ ବୋଲରଙ୍କୁ ସହାୟତା ମିଳିଥାଏ । ମାତ୍ର ବଲ୍ ପୁରୁଣ ହେବା ସହ ଏହା ବ୍ୟାଟରଙ୍କୁ ସୁହାଇଥାଏ । ଏଠାରେ ପିଚରୁ ସ୍ପିନର୍ସଙ୍କ ପାଇଁ ସେତେଟା ସହାୟତା ମିଳେ ନାହିଁ । ତେଣୁ ଭାରତୀୟ ଦଳକୁ ନିଜର ପ୍ଲେଇଙ୍ଗ ଏକାଦଶରେ ପରିବର୍ତ୍ତନ କରିବାକୁ ପଡିବ ।
Also read: ମହିଳା ବିଶ୍ୱକପ୍ ଫାଇନାଲ: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପୂର୍ବରୁ ଭାବପ୍ରବଣ ହେଲେ ଅଧିନାୟକ