ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚ୍ ଆସନ୍ତାକାଲି ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚରେ ଭାରତ ୪୯ ବଲ୍ ଓ ୭ ଓ୍ଵିକେଟ୍ ହାତରେ ଥାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପ୍ରଥମ ମୁକାବିଲାରେ ମୟଙ୍କ ଯାଦବ ଓ ନୀତିଶ ରେଡ୍ଡୀ ଭାରତ ପାଇଁ ପଦାର୍ପଣ କରିଥିଲେ। ଆସନ୍ତାକାଲି ଦ୍ଵିତୀୟ ଟି-୨୦ ଜିତି ସିରିଜ୍ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। ତେବେ କେମିତି ବହିବ ଅରୁଣ ଜେଟଲୀ ଷ୍ଟାଡିୟମର ପିଚ୍ର ସ୍ଵଭାବ ଓ କେମିତି ରହିପାରେ ଦୁଇ ଦଳର ଚୂଡ଼ାନ୍ତ ଏକାଦଶ ?
ପିଚ ରିପୋର୍ଟ
ଅରୁଣ ଜେଟଲୀ ଷ୍ଟାଡିୟମର ପିଚ୍ ସାଧାରଣତଃ ବ୍ୟାଟରଙ୍କ ପାଇଁ ଉପଯୋଗୀ ରହି ଆସିଛି। ଏଠାକାର ବାଉଣ୍ଡରୀ ମଧ୍ୟ ଛୋଟ। ଫଳରେ ଚୌକା ଓ ଛକା ଅନାୟସରେ ମାରିଥାନ୍ତି ବ୍ୟାଟର। ତେବେ ଅନ୍ତର୍ଜାତୀୟ ମ୍ୟାଚ୍ରେ ଏହି ମଇଦାନରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୩୯ ରନ ରହିଛି। ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୩ଟି ମ୍ୟାଚରୁ ମାତ୍ର ୪ଟି ଜିତି ପାରିଛି।
ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳର ବ୍ୟାଟିଂଠୁ ନେଇ ଫିଲ୍ଡିଂ ପର୍ଯ୍ୟନ୍ତ ପ୍ରଦର୍ଶନ ଚମତ୍କାର ଥିଲା। ମୟଙ୍କ ଯାଦବ ଓ ନୀତିଶ ରେଡ୍ଡୀଙ୍କ ପଦାର୍ପଣ ମ୍ୟାଚରେ ପ୍ରଦର୍ଶନ ପ୍ରଭାବଶାଳୀ ରହିଥିଲା। ପ୍ରଥମ ମୁକାବିଲାର ପ୍ରଦର୍ଶନକୁ ଦେଖିଲେ ଦ୍ଵିତୀୟ ମ୍ୟଚାରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ସମ୍ଭାବନା କ୍ଷୀଣ ଲାଗୁଛି।
୨ୟ ଟି-୨୦ ପାଇଁ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ଅଭିଷେକ ଶର୍ମା, ସଞ୍ଜୁ ସାମସନ, ସୂର୍ୟ୍ୟପକୁମାର ଯାଦବ, ନୀତିଶ ରେଡ୍ଡୀ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ରିଙ୍କୁ ସିଂ, ଓ୍ଵାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, ମୟଙ୍କ ଯାଦବ।
ବାଂଲାଦେଶ ଦଳର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ
ଲିଟନ ଦାସ, ପରଭେଜ ହୁସେନ, ନଜମୁଲ ହୁସେନ ସାଣ୍ଟୋ, ଟୋହିଡ ହୃଦୟ, ମହମଦୁଲ୍ଲା, ଜାକର ଅଲ୍ଲୀ, ମେହଦୀ ହସନ ମିରାଜ, ରିଶାଦ ହୁସେନ, ତସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ଶୋରିଫୁଲ ଇସ୍ଲାମ।