ବିଶ୍ୱର ଲୋକପ୍ରିୟ ତଥା ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ସୋସିଆଲ ମିଡ଼ିଆ ଆପ X (ଟ୍ୱିଟର)ରେ ଏବେ ଆଉ ଏକ ନୂଆ ଫିଚର୍ ଆଡ ହେବାକୁ ଯାଉଛି। ଏହି ଫିଚର୍ ପୂର୍ବରୁ ଟ୍ୱିଟରରେ ଉପଲବ୍ଧ ଥିବା ଏକ ସୁବିଧାକୁ ହଟାଇ ଦେବ। X ମାଲିକ ଏଲନ ମସ୍କଙ୍କ ସୂଚନା ଅନୁସାରେ, ଆଗକୁ ଟ୍ୱିଟରରୁ ବ୍ଲକିଂ ଫିଚର୍ ହଟାଇଦିଆଯିବ। ଯାହା ଫଳରେ କୌଣସି ୟୁଜର୍ ଅନ୍ୟ ୟୁଜରଙ୍କୁ ବ୍ଲକ୍ କରିପାରିବେ ନାହିଁ। ବ୍ଲକିଂ ଫିଚର୍ ହଟାଇଲେ ମଧ୍ୟ ମସ୍କ ଆଉ ଏକ ସୁବିଧା ରଖିଛନ୍ତି। ଯଦି ଟ୍ୱିଟରରେ କେହି ମେସେଜ୍ ଜରିଆରେ ହଇରାଣ କିମ୍ୱା ବିରକ୍ତ କରୁଛନ୍ତି ତେବେ ତାଙ୍କୁ ବ୍ଲକ୍ କରିପାରିବେ। ଏହି ଫିଚର୍ କେବଳ ମେସେଜ୍ ପ୍ଲାଟଫର୍ମରେ ଉପଲବ୍ଧ ରହିବ।
ଏହାକୁ ନେଇ ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ, 'ଆଗକୁ ବ୍ୟବହାରକାରୀଙ୍କ ପାଇଁ ବ୍କକିଂ ଫିଚର୍ ରିମୁଭ୍ ହୋଇଯିବ। କିନ୍ତୁ ଡାଇରେକ୍ଟ ମେସେଜରୁ ୟୁଜରଙ୍କୁ ବ୍ଲକ୍ କରାଯାଇପାରିବ'। ଜଣେ ୟୁଜର୍ ଯଦି ଅନ୍ୟ ଜଣେ ୟୁଜରଙ୍କୁ ବ୍ଲକ୍ କରନ୍ତି, ତେବେ ସେହି ଆକାଉଣ୍ଟର ପୋଷ୍ଟଗୁଡିକ ବ୍ଲକର୍ ଟାଇମଲାଇନରେ ଦେଖାଯାଏ ନାହିଁ। ତାଙ୍କୁ ଡାଇରେକ୍ଟ ମେସେଜ୍ କରିବାରେ ମଧ୍ୟ ଅସମର୍ଥ ହୁଅନ୍ତି। ସେହିପରି ବ୍ଲକର୍ ଆକାଉଣ୍ଟର ପୋଷ୍ଟଗୁଡିକ ମଧ୍ୟ ବ୍ଲକ୍ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଦେଖାଯାଏ ନାହିଁ କି ସେ ତାଙ୍କୁ କୌଣସି ମେସେଜ୍ ପଠାଇ ପାରନ୍ତି ନାହିଁ। କିନ୍ତୁ ମସ୍କ ବର୍ତ୍ତମାନ ଏହି ବ୍ଲକିଂ ଫିଚରକୁ ହଟାଇବାକୁ ଯୋଜନା କରୁଛନ୍ତି। ତଥାପି ବ୍ୟବହାରକାରୀଙ୍କ ପାଇଁ ମେସେଜରେ ବ୍ଲକିଂ ସିଷ୍ଟମ୍ ରଖାଯିବ ବୋଲି ଏନେଇ ସ୍ପଷ୍ଟ କରିଛନ୍ତି ମସ୍କ।