ବିହାରରେ ପୁଣି ନୂଆ ସରକାର ଗଠନ କଲେ ନୀତୀଶ କୁମାର । ଆରଜେଡି ହାତ ଛାଡି ବିଜେପି ସହ ମିଶି ନୂଆ ସରକାର ଗଠନ କରିଛନ୍ତି ଜେଡିୟୁ ମୁଖିଆ ନୀତୀଶ କୁମାର । ଏଥି ସହିତ ନବମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିହାରର ରାଜ୍ୟପାଳ ତାଙ୍କୁ ଆଜି ଅପରାହ୍ନରେ ଶପଥ ପାଠ କରାଇଛନ୍ତି । ନୀତୀଶଙ୍କ ସହ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜେଡିୟୁ-ବିଜେପି ମେଣ୍ଟ ସରକାରର ଏହି ଶପଥ ଗ୍ରହଣ ସମାରୋହରେ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୀତୀଶଙ୍କ ଇସ୍ତଫା ପରେ ମହାମେଣ୍ଟକୁ ଲାଗିଛି ମହା ଝଟକା । କଂଗ୍ରେସ ଓ ଆରଜେଡି ସହ ଦେଢ଼ ବର୍ଷର ସମ୍ପର୍କକୁ ଛିନ୍ନ କରି ଏନଡିଏରେ ସାମିଲ ହୋଇଛନ୍ତି ନୀତୀଶ କୁମାର । ୧୨୮ ବିଧାୟକଙ୍କ ସମର୍ଥନ ସହିତ ପୁନର୍ବାର ବିହାରରେ ସରକାର ଗଠନ କରିଛନ୍ତି ନୀତୀଶ । ନୀତିଶ କୁମାରଙ୍କ ସମେତ ଅନ୍ୟ ନଅ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ବିଜେପିରୁ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା, ପ୍ରେମ କୁମାର ମନ୍ତ୍ରୀ ହୋଇଥିବା ବେଳେ ଜେଡିୟୁରୁ ବିଜୟ ଚୌଧୁରୀ, ଶ୍ରବଣ କୁମାର, ବିଜେନ୍ଦ୍ର ଯାଦବ ଶପଥ ନେଇଛନ୍ତି । ଦଳୀୟ ପାର୍ଟିରୁ ସନ୍ତୋଷ କୁମାର ସୁମନ ଏବଂ ସ୍ୱାଧୀନ ବିଧାୟକ ସୁମିତ କୁମାର ସିଂ ମଧ୍ୟ ଶପଥ ନେଇଛନ୍ତି।
ଅଧିକ ପଢନ୍ତୁ : ତୁଳି ଧରି ପଦ୍ମ ଆଙ୍କିଲେ କେନ୍ଦ୍ରମନ୍ତ୍ରୀ