ଆଜି ଉନ୍ମୋଚିତ ହୋଇଛି ବିଜେପି ସଂକଳ୍ପପତ୍ର। ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପପତ୍ର’ ଉନ୍ମୋଚନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା। ‘ସଂକଳ୍ପପତ୍ର’ରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ ‘ସୁଭଦ୍ରା’ ଯୋଜନା। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ଘୋଷଣାରେ ଉଲ୍ଲେଖ କରାଯାଇଛି।
ସଂକଳ୍ପପତ୍ର’ ଉନ୍ମୋଚନ ପରେ ନଡ୍ଡା କହିଛନ୍ତି, ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜନୀତିର ସଂସ୍କୃତି ବଦଳିଛି। ନିର୍ବାଚନୀ ଇସ୍ତାହାରର ଗରିମା ଓ ମହତ୍ୱ ବଢ଼ି ଯାଇଛି।
ନଡ୍ଡା ଆହୁରି କହିଛନ୍ତି, ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି। ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ। ହଜିଥିବା ଚାବିର ତଦନ୍ତ ହେବ। ରତ୍ନଭଣ୍ଡାର ଖୋଲାଯିବ।
ଆଜି ସଙ୍କଳ୍ପ ପତ୍ର ଉନ୍ମୋଚନ ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ଯ ସଭାପତି ସମୀର ମହାନ୍ତି , ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସାମିଲ ପ୍ରମୁଖ ଉପସ୍ଥିତ ଥିଲେ।