ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଭାରତୀୟ ରେସଲର ଭିନେଶ ଫୋଗାଟ୍ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ ହୋଇଛନ୍ତି । ଉଭୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ । ଏବେ ପାର୍ଟି ପ୍ରାର୍ଥୀ ତାଲିକାରେ ଦୁଇ ରେସଲରଙ୍କ ନାମ ସାମିଲ କରିବାର ସମ୍ଭାବନା ଅଛି ।
ଭିିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବା ପୂର୍ବରୁ ଶୁକ୍ରବାର ରେଲୱେ ଚାକିରିରୁ ଇସ୍ତଫା ଦେଇଥିଲେ । ଆଉ ଏହା ପରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଦୁଇ ଦିନ ପୂର୍ବେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । ତେବେଠୁ ଏହି କଳ୍ପନା ଜଳ୍ପନା ଜାରି ରହିଥିଲା ଯେ ଫୋଗାଟ୍ ଓ ପୁନିଆ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ପାରନ୍ତି । ତେବେ ପାର୍ଟି ଏ ପର୍ଯ୍ୟନ୍ତ ଉଭୟଙ୍କ ଟିକେଟକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ ।
ବିଗତ କିଛି ସମୟ ଧରି ଏହି ଚର୍ଚ୍ଚା ଜାରି ରହିଛି ଯେ, ଭିନେଶ କଂଗ୍ରେସରେ ସାମିଲ ହେବା ମାତ୍ରେ ପାର୍ଟି ତାଙ୍କୁ ନିଜର ଗୃହ ଜିଲ୍ଲା ଚରଖି-ଦାଦରୀରୁ ପ୍ରାର୍ଥୀ କରିପାରେ । ଏହା ମଧ୍ୟ କୁହାଯାଉଛି ଯେ, ଫୋଗାଟଙ୍କୁ ଜୁଲାନା ନିର୍ବାଚନ ମଣ୍ଡଳୀରୁ ଟିକେଟ୍ ଦିଆଯାଇପାରେ । କାରଣ ଏହା ତାଙ୍କର ଶାଶୁ ଘର । ବର୍ତ୍ତମାନ ଜୁଲାନା ସିଟରେ ଦୁଷ୍ୟନ୍ତ ଚୌଟାଲାଙ୍କ ଜେଜେପି ପାର୍ଟିର ବିଧାୟକ ଅଛନ୍ତି ।
ଅନ୍ୟପଟେ ବଜରଙ୍ଗ ପୁନିଆଙ୍କୁ ବାଦଲି ଆସନରୁ ଟିକେଟ୍ ମିଳିପାରେ । ଏହି ସିଟ୍ ବର୍ତ୍ତମାନ କଂଗ୍ରେସ କବଜାରେ ରହିଛି । ଯଦି ଏହି ସିଟରେ ପୁନିଆଙ୍କୁ ପ୍ରାର୍ଥୀ କରାଯାଏ ତେବେ ବର୍ତ୍ତମାନ ବିଧାୟକ ଥିବା କୁଲଦୀପ ବତ୍ସଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସଭିଙ୍କ ନଜର ରହିବ ।