ଭୁବନେଶ୍ୱର: କଟକରେ ମା ଦୁର୍ଗାଙ୍କ ଭସାଣି ସମୟରେ ହୋଇଥିବା ଗଣ୍ଡଗୋଳ ଏବଂ ତା ପରବର୍ତ୍ତୀ ସ୍ଥିତିକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶାର ବିଜେପି ସରକାରଙ୍କ ସମାଲୋଚନା କରିଛନ୍ତି । ଏବେ ମମତାଙ୍କୁ କାଉଣ୍ଟର କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି, ପଶ୍ଚିମବଙ୍ଗରେ ଦଙ୍ଗା କରନ୍ତି ମମତା ବାନାର୍ଜୀ ।
କୃଷ୍ଣ ପାତ୍ର କହିଛନ୍ତି, ମମତା କୁହାଳିଆ, କେତେବେଳେ କଣ କହନ୍ତି ନିଜେ ଜାଣନ୍ତି ନାହିଁ । ସେ ନିଜେ ପଶ୍ଚିମବଙ୍ଗରେ ଦଙ୍ଗା କରାଉଛନ୍ତି । ଆମ ସରକାର ଅନୀତି, ବେନିୟମକୁ କେବେବି ପ୍ରଶୟ ଦିଅନ୍ତି ନାହିଁ । ମୁଖ୍ୟମନ୍ତ୍ରୀ କହି ସାରିଛନ୍ତି, ଯିଏ ଦୋଷୀ ସେମାନଙ୍କୁ ଛଡା ଯିବ ନାହିଁ । ତେଣୁ ମମତା ଆମ କଥା ଛାଡି ନିଜ ରାଜ୍ୟ ଉପରେ ନଜର ରଖନ୍ତୁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ବିଜେପି କଟକରେ ହିଂସା କରାଇଛି । ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ସେ କହିଥିଲେ । ଆଉ ଏହାର ପାଲଟା ଜବାବ ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର ।
ସୂଚନାଯୋଗ୍ୟ, କଟକରେ ଅକ୍ଟୋବର ୩ ତାରିଖରେ ମା ଦୁର୍ଗାଙ୍କ ଭସାଣି ସମୟରେ ଦରଘା ବଜାରରେ ମା ଦୁର୍ଗାଙ୍କ ମେଢ ଓ ଶୋଭାଯାତ୍ରାରେ ସାମିଲ୍ ଲୋକଙ୍କ ଉପରେ ପଥରମାଡ ହୋଇଥିଲା । ଏହାକୁ ନେଇ କଟକରେ ହିଂସା ଦେଖିବାକୁ ମିଳିଥିଲା । ସଂଖ୍ୟାଲଘୁର ସମୁଦାୟଙ୍କ ଏମିତି କାର୍ଯ୍ୟକୁ ନିନ୍ଦା କରାଯାଇଥିଲା । ଏହାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ କଟକ ବନ୍ଦ ଡାକରା ଦେବା ସହ ରାଲି ବାହାର କରିଥିଲା । ହେଲେ ରାଲିକୁ ଅନୁମତି ନ ଥିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଏପରିକି ଭଙ୍ଗାରୁଜା ଓ ପୋଡାଜଳା ସ୍ଥିତି ଉପୁଜିଥିଲା । ଏହାକୁ ନେଇ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ସହ କର୍ଫ୍ୟୁ ବି ଲଗାଯାଇଥିଲା ।
Also read: ଦଶହରା ଭସାଣୀ ଗଣ୍ଡଗୋଳ ଘଟଣା : ହାତୀପୋଖରୀ ଅଞ୍ଚଳରେ କମିଶନରେଟ୍ ପୋଲିସର ଯାଞ୍ଚ