ରାୟପୁର: ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ ସଂକଳ୍ପ ନେଇଥିବା କେନ୍ଦ୍ର ସରକାରଙ୍କ ଅଭିଯାନକୁ ଜୋରଦାର କରାଯାଉଛି । ଲଗାତର ଚାରିଦିନ ଛତିଶଗଡ଼ ଦାନ୍ତେୱାଡ଼ାରେ ଗର୍ଜୁଛି ଗୁଳି । ଜାରି ରହିଛି ମାଓ ବିରୋଧୀ ଅପରେସନ । ଏହାରି ମଧ୍ୟରେ ଆଜି ପୁଣି ମହିଳା ମାଓବାଦୀ ସରୁକ୍ଷାବାହିନୀଙ୍କ ଗୁଳିରେ ଟଳିଛି । ଦନ୍ତେୱାଡ଼ା ଜଙ୍ଗଲରୁ ନକ୍ସଲଙ୍କ ମୃତ ଦେହ ଜବତ କରାଯାଇଛି ।
ସୋମବାର ସକାଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାରେ ପୋଲିସ ଓ ମାଓବାଦଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ବିଜାପୁର-ଦାନ୍ତେୱାଡା ସୀମରେ ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଛନ୍ତି ଜଣେ ମହିଳା ମାଓବାଦୀ ।ମୃତ ମହିଳା ମାଓବାଦୀଙ୍କର ପରିଚୟ ମିଳିଛି । ସେ ହେଲେ ରେଣୁକା, ତାଙ୍କ ଘର ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ । ସେ ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି (DKSZC) ସଦସ୍ୟ ଥିଲା । ସେ ନକ୍ସଲ ମିଡିଆ ଟିମ୍ ପାଇଁ କାର୍ଯ୍ୟ କରି କରୁଥିଲା । ରେଣୁକା ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ଘଟଣା ସ୍ଥଳରୁ ଇନସାସ ରାଇଫଲ ସହ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ପ୍ରକାଶ ଯୋଗ୍ୟ, ଗତ ୨୯ ତାରିଖରେ ସୁକମା ଜିଲ୍ଲାର ଗୋଗୁଣ୍ଡା ପାହାଡ଼ରେ ସୁରକ୍ଷାବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୭ ନକ୍ସଲ ନିହତ ହୋଇଥିଲେ । ସେହିପରି ଗତ ୨୦ ତାରିଖରେ ଛତିଶଗଡ଼ ବିଜାପୁର ଏବଂ କାଙ୍କେର ମାଓ ବିରୋଧୀ ଅପରେସନ୍ କରାଯାଇଥିଲା । ବିଜାପୁରରେ ୨୬ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିବାବେଳେ କାଙ୍କେରରେ ୪ଟି ମୃତ ଦେହ ମିଳିଥିଲା । ଏଥିରେ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍), ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଓ କୋବ୍ରା ବାଟାଲିୟନ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ କରାଯାଇଥିଲା ।
ସେହିପରି ଗତ ୨୫ ତାରିଖରେ ଛତିଶଗଡ଼ର ସୀମାନ୍ତ ଦାନ୍ତେୱାଡାରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା । ଏଥିରେ ୫ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ ।