ନୂଆଦିଲ୍ଲୀ: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତାକାଲି ସଂସଦରେ ଆଗତ ହେବ ବହୁ ପ୍ରତିକ୍ଷୀତ ୱାକଫ୍ ବିଲ୍ । ଲୋକସଭାରେ କେନ୍ଦ୍ର ସରକାର ୱାକଫ୍ ସଂଶୋଧିତ ବିଧେୟକ ଆଗତ କରିବେ । ଏହା ଉପରେ ଦୀର୍ଘ ୮ ଘଣ୍ଟା ଆଲୋଚନା କରିବାକୁ ସରକାର ସମୟ ଦେଇଛନ୍ତି ।
ବୁଧବାର ମଧ୍ୟାହ୍ନ ୧୨ଟାରେ ଲୋକସଭାରେ ୱାକଫ୍ ସଂଶୋଧିତ ବିଧେୟକ ଆଗତ କରିବେ କେନ୍ଦ୍ର ସରକାର । ଏହାକୁ ନେଇ ଜୋରଦାର ହଙ୍ଗାମା କରିପାରନ୍ତି ବିପକ୍ଷୀ ଦଳ । ତେବେ ବିରୋଧୀ ଦଳ ବିଧେୟକ ଉପରେ ଆଲୋଚନା ପାଇଁ ବିଜେନେସ୍ ଆଡଭାଇଜରୀ କମିଟିକୁ ୧୨ ଘଣ୍ଟା ସମୟ ମାଗିଥିବାବେଳେ ସରକାର 8 ଘଣ୍ଟା ପାଇଁ ସହମତି ପ୍ରକାଶ କରିଛନ୍ତି । ଏହା ପରେ ବିରୋଧୀ ସଦସ୍ୟମାନେ ହଙ୍ଗାମା କରି ଗୃହ ପରିତ୍ୟାଗ କରିଥିଲେ ।
ଅନ୍ୟପକ୍ଷରେ ଆସନ୍ତାକାଲି ସମସ୍ତ ଏନଡିଏ ସମର୍ଥିତ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରାଯାଇଛି । ତେବେ ସମସ୍ତ ସଦସ୍ୟଙ୍କୁ ବିଲ୍ ଉପରେ ଚର୍ଚ୍ଚା କରିବାକୁ ସୁଯୋଗ ଦିଆଯିବ, ସେମାନେ ନିର୍ଦ୍ଦିଷ୍ଟ ବିନ୍ଦୁ ଉପରେ ଆଲୋଚନା କରିବେ କିନ୍ତୁ ସମୟ ଅପଚୟ ନ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି କହିଛନ୍ତି ।
ବିଜୁ ଜନତା ଦଳ ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ଯେପର୍ଯ୍ୟନ୍ତ ବିଲ୍ର ବିବରଣୀ ବିଷୟରେ, ଏହାର କପି ଏପର୍ଯ୍ୟନ୍ତ ବଣ୍ଟନ କରାଯାଇ ନାହିଁ, ଏହି ବିଲ୍କୁ ନେଇ ବିଜେଡିର ଗମ୍ଭୀର ଚିନ୍ତା ଅଛି।" ସେ କହିଛନ୍ତି ଯେ ଜେପିସି ବୈଠକ ବସିଲା କି ନାହିଁ ତାହା ଚିନ୍ତାର ବିଷୟ ନୁହେଁ, ବରଂ ଚିନ୍ତାର ବିଷୟ ବିରୋଧୀଙ୍କ ସ୍ୱରକୁ ବିଚାରକୁ ନିଆଯାଇଛି କି ନାହିଁ।