ସରକାର ବଜାରକୁ କାଗଜ ନୋଟ ବଦଳାଇ ପ୍ଲାଷ୍ଟିକ ନୋଟ ଆଣିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏପରିସ୍ଥଳେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ମଙ୍ଗଳବାର ଦିନ ସ୍ପଷ୍ଟୀକରଣ ଦେଇଛନ୍ତି। ଆରବିଆଇର ୨୦୧୫-୧୬ ବାର୍ଷିକ ରିପୋର୍ଟ ଅନୁଯାୟୀ, କୋଟି କୋଟି ଟଙ୍କା ପ୍ଲାଷ୍ଟିକ୍ ନୋଟ୍ ଜାରି କରିବାକୁ ଯୋଜନା କରାଯାଇଥିବା ବେଳେ ଏହି ପ୍ଲାଷ୍ଟିକ୍ ନୋଟଗୁଡିକ କୋଚି, ମହିଶୂର, ଶିମଲା, ଜୟପୁର ଏବଂ ଭୁବନେଶ୍ୱରର ପାଞ୍ଚଟି ସହରରେ ପରୀକ୍ଷା ଭିତ୍ତିରେ ପ୍ରଦାନ କରାଯିବାର ଥିଲା।
ସୂଚନା ଯୋଗ୍ୟଯେ, ମଙ୍ଗଳବାର ଦିନ ରାଜ୍ୟସଭାର ପ୍ରଶ୍ନ କାଳରେ ସାଂସଦ ଅନିଲ ଦେଶାଇ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ କାଗଜ ନୋଟ ବଦଳରେ ପ୍ଲାଷ୍ଟିକ ନୋଟ ଆସିବ କି ନାହିଁ ପ୍ରଶ୍ନ କରିଥିଲେ। ସେ ପ୍ରଶ୍ନ କରିଥିଲେ ଯେ, ଅନେକ ଦେଶରେ ପ୍ଲାଷ୍ଟିକ୍ ନୋଟ୍ ଅତ୍ୟନ୍ତ ସ୍ଥାୟୀ ବୋଲି ପ୍ରମାଣିତ ହୋଇଛି ଏବଂ ପ୍ଲାଷ୍ଟିକ୍ ନୋଟରୁ ନକଲି ମୁଦ୍ରା ପ୍ରସ୍ତୁତ କରିବା ମଧ୍ୟ କଷ୍ଟସାଧ୍ୟ ଅଟେ। ଏଭଳି ପରିସ୍ଥିତିରେ ସରକାର ଦେଶରେ ପ୍ଲାଷ୍ଟିକ ମୁଦ୍ରା ଜାରି କରିବେ କି? ତେବେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧିନିୟମ ୧୯୩୪ ର ଧାରା ୨୫ ଅନୁଯାୟୀ ପ୍ଲାଷ୍ଟିକ୍ ନୋଟ୍ ଜାରି କରିବା ନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ସେ କହିଛନ୍ତି ଯେ ଭାରତୀୟ ମୁଦ୍ରା ନୋଟଗୁଡିକର ସ୍ଥାୟୀତ୍ୱ ଏବଂ ଏହାର ନକଲି କାରବାରକୁ ରୋକିବା ଏକ ନିରନ୍ତର ପ୍ରକ୍ରିୟା। ଭାରତୀୟ ବ୍ୟାଙ୍କ ନୋଟର ସ୍ଥିରତା ବଜାୟ ରଖିବା ଏବଂ ନକଲି ନୋଟକୁ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରହିବ। ଏହି ପରିପ୍ରେକ୍ଷୀରେ ଆରବିଆଇ ବାର୍ଷିକ ରିପୋର୍ଟ ୨୦୨୨-୨୩ ଅନୁଯାୟୀ ସେ କହିଛନ୍ତି ସୁରକ୍ଷା ମୁଦ୍ରଣ ପାଇଁ ମୋଟ ଖର୍ଚ୍ଚ ୪୬୮୨.୮୦ କୋଟି ଟଙ୍କା ଥିଲା। ପ୍ଲାଷ୍ଟିକ ନୋଟ ଛାପିବାରେ କୌଣସି ଖର୍ଚ୍ଚ ହୋଇ ନାହିଁ । ସେ କହିଛନ୍ତି ସରକାର କାଗଜ ନୋଟ ବଦଳାଇ ପ୍ଲାଷ୍ଟିକ ନୋଟ ପ୍ରବର୍ତ୍ତନ ପାଇଁ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ୨୦୧୫-୧୬ ବାର୍ଷିକ ରିପୋର୍ଟ ଅନୁଯାୟୀ, କୋଟି କୋଟି ଟଙ୍କା ପ୍ଲାଷ୍ଟିକ୍ ନୋଟ୍ ଜାରି କରିବାକୁ ଯୋଜନା କରାଯାଇଥିବା ବେଳେ ନୋଟ୍ ମୁଦ୍ରାନ୍ ପ୍ରାଇଭେଟ ଲିମିଟେଡ୍ ଏବଂ ସିକ୍ୟୁରିଟି ପ୍ରିଣ୍ଟିଂ ଏବଂ ମେଣ୍ଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏହି ପ୍ରକଳ୍ପ ନେଇଥିଲେ। କିନ୍ତୁ ଉଚ୍ଚ ତାପମାତ୍ରାରେ ପ୍ଲାଷ୍ଟିକ୍ ନୋଟ୍ ନିଆଁ ଲାଗିବାର ଆଶଙ୍କା ଥିବାରୁ ଆରବିଆଇ ଦ୍ୱାରା ଏହି ପ୍ରକଳ୍ପ ସ୍ଥଗିତ ରଖାଯାଇଥିଲା।
ଅଧିକ ପଢନ୍ତୁ: ବିଏମ୍ସିର ଅପାରଗତା: ପ୍ରକାଶ ପାଉନି ପ୍ରଶାସନିକ ରିପୋର୍ଟ