ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ଓ ଏଆଇଏଡିଏମକେ ମଧ୍ୟରେ ପୁଣି ଥରେ ମେଣ୍ଟ ହେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ଏହା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଚଳିତ ମାସ ଶେଷ ଆଡକୁ ତାମିଲନାଡୁ ଗସ୍ତ କରିବେ । ଶାହଙ୍କ ଏହି ଗସ୍ତ ଆଗାମୀ ବିହାର ନିର୍ବାଚନ ଓ ପଶ୍ଚିମବଙ୍ଗରେ ୨୦୨୬ରେ ହେବାକୁ ଥିବା ନିର୍ବାଚନର ରଣନୀତି ଆଧାରରେ ନିର୍ଦ୍ଧାରିତ କରାଯାଇଛି । ଏହି ଗସ୍ତରେ ଶାହ ଏଆଇଏଡିଏମକେର ବରିଷ୍ଠ ନେତାଙ୍କୁ ଭେଟି ପାରନ୍ତି ।
ଉାର୍ଚ୍ଚରେ ଏଆଇଏଡିଏମକେର ନେତା ଏଦପ୍ପାଦୀ କେ ପଲାନିସ୍ୱାମୀ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଥିଲେ । ଏହା ପରେ ହିଁ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଦ୍ରାବିଡ ମୁନେତ୍ର କଝଗମ(ଡିଏମକେ) ବିରୋଧରେ ଏକ ଶକ୍ତିଶାଳୀ ମୋର୍ଚ୍ଚା ଗଠନ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।
ରାଜ୍ୟର କିଛି ନେତା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପରେ ଚାପ ପକାଇଛନ୍ତି ଯେ, ଏଆଇଏଡିଏମକେ ସହ ପୁଣି ଥରେ ମେଣ୍ଟ କରାଯାଉ । ଏଥିରେ ପାର୍ଟି ରାଜ୍ୟରେ ନିଜର ସ୍ଥିତି ମଜବୁତ କରି ପାରିବ । ଆଉ ପାର୍ଟିକୁ ଆଣ୍ଟି ଡିଏମକେ ଭାବନାର ଲାଭ ମିଳି ପାରିବ । ପାର୍ଟିର ଜଣେ ନେତା କହିଛନ୍ତି, ଦୁଇ ଦଳର ନେତାଙ୍କ ମଧ୍ୟେ ମେଣ୍ଟ ସମ୍ଭାବନା ନେଇ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇ ସାରିଛି । ଆଶା କରାଯାଉଛି ରାଜ୍ୟରେ ସାଂଗଠନିକ ଅଦଳବଦଳ ପରେ ବଡ ଘୋଷଣା ହୋଇପାରେ ।
ତାମିଲନାଡୁ ରାଜ୍ୟ ବିଜେପି ସଭାପତି ପଦରୁ କେ ଆନ୍ନାମଲ୍ଲାଇଙ୍କ ଇସ୍ତଫା ପରେ ସଭିଙ୍କ ନଜର ନୂଆ ସଭାପତି କିଏ ହେବ ତା ଉପରେ ରହିଛି । କାରଣ ମେଣ୍ଟ ହେବା ଏହା ଉପରେ ନିର୍ଭର କରେ ଯେ, ନେତାମାନେ ପରସ୍ପର ମଧ୍ୟରେ କେମିତି ସମନ୍ୱୟ ରଖୁଛନ୍ତି । ଆନ୍ନାମଲାଇ ଓ ଏଆଇଏଡିଏମକେ ମଧ୍ୟରେ ବିରୋଧାଭାସୀ ଆଭିମୁଖ୍ୟ କାରଣରୁ ମେଣ୍ଟ ଭାଙ୍ଗିବା ପ୍ରମୁଖ କାରଣ ହୋଇଛି । ଖୁବ୍ ଶୀଘ୍ର ତାମିଲନାଡୁ ରାଜ୍ୟ ବିଜେପି ସଭାପତି ଘୋଷଣା କରାଯାଇପାରେ ।
ସୂଚନାଯୋଗ୍ୟ, ୨୦୨୩ରେ ଏଆଇଏଡିଏମକେ ଏନଡିଏରୁ ଓହରି ଯାଇଥିଲା । କାରଣ ଆନ୍ନାମଲାଇ ଦେଇଥିବା ଟିପ୍ପଣୀ ଦୁଇ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥିଲା । ୨୦୨୧ ନିର୍ବାଚନରେ ଡିଏମକେ ୨୩୪ରୁ ୧୩୩ ସିଟ୍ ଜିତି ସରକାର ଗଠନ କରିଥିଲା । ଏଆଇଏଡିଏମକେର ସିଟ୍ ସଂଖ୍ୟା ୧୩୬ରୁ ହ୍ରାସ ପାଇ ୬୬ ରହିଥିଲା । ବିଜେପିକୁ ୪ ସିଟ୍ ଓ ପିଏମକେ ୫ଟି ଆସନରେ ନିର୍ବାଚନ ଜିତିଥିଲେ ।