ରାଜସ୍ଥାନ : ଆଜି ବର ସହ ବାହାରିଥାନ୍ତେ ବରଯାତ୍ରୀ। ପଡିଥାନ୍ତା ହାତଗଣ୍ଠି । ରାଜସ୍ଥାନରୁ ସୀମା ପାର୍ କରି ପାକିସ୍ତାନ କନିଆଁ ଆଣିବାକୁ ଯାଇଥାନ୍ତା ବର । ପାକିସ୍ତାନରେ ନେଇଥାନ୍ତା ସାତ ଫେରା । ଏଥିପାଇଁ ସରିଥିଲା ସବୁ ପ୍ରସ୍ତୁତି । ରାତି ପାହିଲେ ସରିଥାନ୍ତା ବାହାଘର । ହେଲେ ଏବେ ସବୁ ଫସର ଫାଟିଯାଇଛି । ସରକାରଙ୍କ ଅଟାରୀ ବନ୍ଦ ନିଷ୍ପତ୍ତି ପରେ ବନ୍ଦ ହୋଇଛି ବାହାଘର ।
ସୂଚନା ଅନୁଯାୟୀ ରାଜସ୍ଥାନ ବାସିନ୍ଦା ଶୈତାନ ସିଂହଙ୍କ ବାହାଘର ପାକିସ୍ତାନର ଝିଅ ସହ ହୋଇଥାନ୍ତା । ତାଙ୍କ ଜେଜେ ମା’ ଓ ଚାରି ଦାଦା ପାକିସ୍ତାନରେ ରୁହନ୍ତି । ଏଥିପାଇଁ ପାକିସ୍ତାନରେ ବାହାଘର ପାଇଁ ଝିଅ ଠିକ୍ ହୋଇଥିଲା । ଅମୃତସରର ଅଟାରୀ ସୀମା ପାର୍ ହୋଇ ପାକିସ୍ତାନକୁ ବରଯାତ୍ରୀ ନେଇ ଯାଇଥାନ୍ତେ ଶୈତାନ ହେଲେ ସରକାରଙ୍କ ସୀମା ବନ୍ଦ ନିଷ୍ପତ୍ତି ଯୋଗୁ ତାଙ୍କ ବାହାଘର ଅଟକି ଯାଇଛି । ସୀମା ବନ୍ଦ ଥିବାରୁ ତାଙ୍କୁ ପାକିସ୍ତାନ ଯିବାକୁ ଦିଆଯାଇନାହିଁ ।
ପହଲଗାମ ହମ୍ଲା ପରେ ଭାରତ ସରକାର ଅଟାରୀ-ୱାଘା ବର୍ଡର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପାକିସ୍ତାନୀ ବୈଧ ଅନୁମୋଦନରେ ଆସିଛନ୍ତି ସେମାନଙ୍କୁ ମେ’ ୧ ପୂର୍ବରୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ରହିଛି । ଏପରିକି ପାକିସ୍ତାନୀ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ମନା ହୋଇଛି। ଫଳରେ ଭାରତ ଆସିଥିବା ପାକିସ୍ତାନୀ ନାଗରିକ ଓ ପାକିସ୍ତାନ ଯିବାକୁ ଥିବା ଭାରତୀୟ ନାଗରିକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଏହି ନିର୍ଦ୍ଦେଶ ପରେ ଏବେ ପାକିସ୍ତାନରେ ବିବାହ କରିଥିବା ଭାରତର ଝିଅ ବିଚଳିତ ହେବା ସହ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଭିସା ରଦ୍ଦ ହୋଇଥିବାରୁ କିପରି ନିଜ ଶାଶୂଘରକୁ ଯିବେ ସେ ନେଇ ଚିନ୍ତାରେ ଅଛନ୍ତି ।