ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପ୍ରତିଶୋଧର ନିଆଁରେ ଜଳୁଛି ହିନ୍ଦୁସ୍ଥାନ । ଆତଙ୍କୀଙ୍କୁ କଡ଼ା ରୁ କଡ଼ା ଦଣ୍ଡ ଦେବାକୁ ଚାଲିଛି ତଲାସୀ ଅଭିଯାନ । ଜମ୍ମୁ କଶ୍ମୀରର ଗଳି ଗଳିରେ ବୁଲୁଛନ୍ତି ଭାରତୀୟ ସେନା । ତେବେ କଠୁଆରେ ୪ ଜଣ ସନ୍ଦିଗ୍ଧ ଥିବା ପୋଲିସକୁ ସୂଚନା ମିଳିବା ପରେ ଏବେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
କଠୁଆର ଜଣେ ମହିଳା ସ୍ଥାନୀୟ ଅଞ୍ଚଳରେ ୪ ଜଣ ସନ୍ଦିଗ୍ଧଙ୍କୁ ଦେଖିବା ପୋଲିସକୁ ସୂଚନା ଦେଇଛନ୍ତି । ଏହା ପରେ ସେନା ପକ୍ଷରୁ ଆରମ୍ଭ ହୋଇଛି ତଲାସୀ ଅଭିଯାନ । ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ପକ୍ଷରୁ ଛାନଭିନ୍ କରାଯାଉଛି । କଠୁଆର ହୀରାନଗର ଜିଲ୍ଲାର ତଲାସୀକୁ ଜୋରଦାର କରାଯାଇଛି । ସନ୍ଧାନୀ କୁକୁରଙ୍କୁ ବି ସାମିଲ କରାଯାଇଛି । ଏହି ଅଞ୍ଚଳର ନିୟନ୍ତ୍ରଣ ରେଖ ନିକଟରେ ଥିବା ଏଠାରେ ପୂର୍ବରୁ ମଧ୍ୟ ଅନୁପ୍ରବେଶ ହୋଇଛି । ତେଣୁ ଆତଙ୍କୀମାନେ କିଛି ବଡ଼ ଷଡ଼ଯନ୍ତ୍ରର ଯୋଜନା କରୁଥିବା ଅନୁମାନ କରାଯାଉଛି ।
ଅନ୍ୟପକ୍ଷରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଜମ୍ମୁ-କାଶ୍ମୀରର ଉଧମପୁରସ୍ଥିତ ଉତ୍ତରୀ କମାନ ମୁଖ୍ୟାଳୟରେ ପହଁଚିଛନ୍ତି । ଜେନେରାଳ ଦ୍ୱିବେଦୀ ଏଲ୍ଓସିର ପୁଞ୍ଚ ଓ ରଜୌରୀ ଏବଂ ପୀର ପଞ୍ଜାଲ ରେଞ୍ଜରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ।