ନୂଆଦିଲ୍ଲୀ: ଗୋଟିଏ ପଟେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ଖୋଜି ବାହାର କରିବାକୁ ଭାରତୀୟ ସେନା କଳ ବଳ କୌଶଳ ଏକଜୁଟ କରିଥିବାବେଳେ ଅନ୍ୟପଟେ ପଞ୍ଜାବର ଅମୃତସର ସୀମାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ପଞ୍ଜାବରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ପଠାଇଥିବା କୁହାଯାଉଛି ।
ପଞ୍ଜାବ ପୋଲିସ ଏବଂ ବିଏସ୍ଏଫ୍ ଅମୃତସର ଗ୍ରାମାଞ୍ଚଳ ସଂଲଗ୍ନରେ ଥିବା କଣ୍ଟା ତାର ବାଡ଼ରୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ପଠାଯାଇଥିବା ଏକ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ଅସ୍ତ୍ରଶସ୍ତ୍ରରେ ସାଢ଼େ ଚାରି କିଲୋଗ୍ରାମ ଆରଡିଏକ୍ସ, ୨ ଟି ବଡ଼ ପ୍ୟାକେଟରେ ୪ ଟି ହାତ ତିଆରି ଗ୍ରେନେଡ୍, ଚାରୋଟି ପିସ୍ତଲ, ୮ଟି ମାଗାଜିନ୍, ୨୨୦ କାର୍ଟ୍ରିଜ୍, ଦୁଇଟି ବ୍ୟାଟେରୀ ଚାର୍ଜର ଏବଂ ୨ଟି ରିମୋଟ୍ ଅନ୍ତର୍ଭୁକ୍ତ। ବିଏସଏଫ ସେକ୍ଟର ଗୁରୁଦାସପୁର ଡିଆଇଜି କହିଛନ୍ତି ଯେ ସେକ୍ଟର ଗୁରୁଦାସପୁରର ୧୧୭ ବାଟାଲିୟନ ଅଜନଲାର ବିଓପି ଶାହପୁର ଜବାନମାନେ ଗହମ ଅମଳ ସମୟରେ ଏହି ସାମଗ୍ରୀ ଜବତ କରିଛନ୍ତି।
ଏହି ବିସ୍ଫୋରକଗୁଡ଼ିକୁ ଆଇଏସଆଇ ଦ୍ୱାରା ପଠାଯାଇଛି । ଏହି ସାମଗ୍ରୀ କାହା ପାଖକୁ ଯିବାର ଥିଲା ଏବଂ କିଏ ନେଇ ଥାଆନ୍ତା ପୋଲିସ ଜାଣିବାକୁ ଚେଷ୍ଟା କରୁଛି । ସ୍ଥାନୀୟ ଅଞ୍ଚଳରେ କ୍ଷେତରେ କାମ କରୁଥିବା ଚାଷୀମାନଙ୍କୁ ପଚରାଉଚରା କରାଯାଉଛି।