ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରେ ଭୟର ମାହୋଲ ଖେଳି ଯାଇଛି । ସ୍ଥିତି ଏମିତି ଯେ, ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନୀର ନିଜ ପରିବାରକୁ ବିଦେଶ ପଠାଇ ଦେଇଛି । ପାକିସ୍ତାନ ସେନାର ଅନେକ ଅଫିସର ନିଜର ପରିବାରକୁ ପ୍ରାଇଭେଟ୍ ଏୟାରକ୍ରାଫ୍ଟରେ ବ୍ରିଟେନ ଓ ନ୍ୟୁଜର୍ସି ପଠାଇ ଦେଇଛନ୍ତି ।
ପହଲଗାମ ଆତଙ୍କୀ ହମଲା ପରେ ପୂରା ଦେଶରେ ଆତଙ୍କବାଦର ପୃଷ୍ଠପୋଷକ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଉଠିଛି । ଏହି ପ୍ରସଙ୍ଗରେ ଭାରତର ସମସ୍ତ ରାଜନୈତିକ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କ ସହିତ ରହିଛନ୍ତି । ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ର ସରକାର ସିନ୍ଧୁ ନଦୀ ଜଳ ଚୁକ୍ତିନାମା ବାତିଲ କରିଛି । ଅଟାରୀ ବର୍ଡରକୁ ବନ୍ଦ କରି ଦିଆଯାଇଛି । ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରି ଦିଆଯାଇଛି । ସେମାନଙ୍କୁ ୪୮ ଘଣ୍ଟା ଭିତରେ ଦେଶ ଛାଡିବାକୁ କୁହାଯାଇଛି ।
ଗୃହ ମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ଏହା ସୁନିଶ୍ଚିତ କରିବାକୁ କହିଛନ୍ତି ଯେ, ଭାରତ ଛାଡିବାର ସମୟ ସୀମା ବିତିବା ପରେ ଯେମିତି କୌଣସି ପାକିସ୍ତାନୀ ଦେଶରେ ନ ରୁହନ୍ତୁ । ଅନ୍ୟପଟେ ପହଲଗାମ ଆତଙ୍କୀ ହମଲାକୁ ନେଇ ପାକିସ୍ତାନୀ ମୂଳ ନିବାସୀ ପ୍ରଫେସର ଇସ୍ତିୟାକ ଅହମ୍ମଦ ନିଜ ସେନା ପ୍ରମୁଖ ଆସିମ ମୁନୀରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, ଯେଉଁଭଳି ଭାବେ ଜେନେରାଲ ଆସିମ ମୁନୀର ହିନ୍ଦୁ ଓ ମୁସଲିମଙ୍କୁ ଅଲଗା ଅଲଗା କହିଲେ, ଏହାର ଠିକ୍ ଗୋଟିଏ ସପ୍ତାହ ଭିତରେ ଆତଙ୍କବାଦୀ ପହଲଗାମରେ ହମଲା କରିଛନ୍ତି ।
ସୂଚନାଯୋଗ୍ୟ, ପହଲଗାମ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଦେଶରେ ଆକ୍ରୋଶତ ମାହୋଲ ରହିଛି । ପାକିସ୍ତାନ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାରା ଦେଶ ଦାବି କରିଛନ୍ତି । ସେନା ମୁଖ୍ୟ କାଶ୍ମୀର ଗସ୍ତ କରି ସୁରକ୍ଷା ସଂପର୍କିତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।