ନୂଆଦିଲ୍ଲୀ: ଜମ୍ୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାରେ କେବଳ ଭାରତରେ ଆକ୍ରୋଶର ମାହୋଲ ଦେଖିବାକୁ ମିଳିନି ବରଂ ପାକିସ୍ତାନରେ ମଧ୍ୟ ଏକ ସମୁଦାୟର କ୍ରୋଧ ଦେଖିବାକୁ ମିଳିଛି । ସେମାନେ ଭାରତକୁ ଦାବି କରିଛନ୍ତି ଯେ, ଭାରତ ପିଓକେ ଉପରେ କବଜା କରୁ ଏବଂ ସେଠାରେ ଉତ୍ପନ ହେଉଥିବା ଆତଙ୍କବାଦର ମୂଳ ଉତ୍ପାଟନ କରୁ । ଭାରତ ପ୍ରଥମ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସିନ୍ଧୁ ନଦୀ ଜଳ ଚୁକ୍ତିନାମା ବାତିଲ କରିଛି । ଏଥିରେ ପାକିସ୍ତାନ ସରକାରକୁ ବଡ ଝଟକା ଲାଗିଛି ।
ପିଓକେର ରାଜନୈତିକ କାର୍ଯ୍ୟକର୍ତ୍ତା ଅମଜଦ ଆୟୁବ ମିର୍ଜା କହିଛନ୍ତି, ପର୍ଯ୍ୟଟକଙ୍କ ଉପରେ ହମଲା କରି ପାକିସ୍ତାନୀ ଆତଙ୍କବାଦୀ କାଶ୍ମୀରର ଅର୍ଥବ୍ୟବସ୍ଥା ଉପରେ ହମଲା କରିଛି । ସେ ଅଭିଯୋଗ କରିଛନ୍ତି ଯେ, କାଶ୍ମୀରର ଉନ୍ନତି ଦେଖି ପାକିସ୍ତାନର ଶାସକ ଚିନ୍ତିତ ହୋଇ ପଡିଥିଲେ । ସେମାନଙ୍କୁ ଏହା ଭଲ ଲାଗୁ ନ ଥିଲା ଯେ, କାଶ୍ମୀରରେ ଶାନ୍ତି ସ୍ଥାପନ ହୋଇଗଲା । ଘାଟିରେ ସଡକ ନିର୍ମାଣ ହେଉଥିଲା,ପୋଲ ନିର୍ମାଣ ହେଉଥିଲା । ଜମ୍ମୁ-କାଶ୍ମୀରର ଅର୍ଥବ୍ୟବସ୍ଥା ମଜବୁତ ହେଉଥିଲା । ଲଦାଖରେ ମଧ୍ୟ ବିକାଶମୂଳକ କାମ ଚାଲିଥିଲା । ଏହା ଦେଖି ପାକିସ୍ତାନ ସହ୍ୟ କରି ପାରି ନ ଥିଲା ।
ମିର୍ଜା କହିଛନ୍ତି, କାଶ୍ମୀର ଆଗକୁ ବଢୁଥିବା ବେଳେ ପିଓକେରେ କିଛି ଉନ୍ନତିମୂଳକ କାମ ହେଉ ନ ଥିଲା । ସେଠାକାର ଲୋକଙ୍କୁ ୧୪ ମାସ ହେବ ବେତନ ମିଳିନାହିଁ । ଏଥିପାଇଁ ସେଠାରେ ଅସନ୍ତୋଷର ମାହୋଲ ଦେଖିବାକୁ ମିଳିଥିଲା । ଲୋକେ ସେଠାରେ ନିଜର ପିଲାଙ୍କ ସହ ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି । ଏହା ଦେଖି ପାକିସ୍ତାନ କାଶ୍ମୀରର ଅର୍ଥବ୍ୟବସ୍ଥା ଉପରେ ହମଲା କରାଇଛି । ତେଣୁ ଏବେ ସମୟ ଆସି ଯାଇଛି ଭାରତ ପିଓକେ ଓ ପିଓଜେକେ ଉଭୟକୁ କବଜା କରୁ । ଏହା ହିଁ ସ୍ଥାୟୀ ସମାଧାନ ହେବ ବୋଲି ମର୍ଜା କହିଛନ୍ତି ।