ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏବେ ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ସାରା ବିଶ୍ୱର ନଜର ରହିଛି । ଆତଙ୍କବାଦୀଙ୍କୁ ପୋଷୁ ଥିବା ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି କେନ୍ଦ୍ର ସରକାର । ହାତରେ ନ ମାରି ପ୍ରଥମେ ଭାତରେ ମାରିବାକୁ ମୋଦୀ ସରକାର ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନୀଙ୍କୁ ଚିହ୍ନଟ କରି ରାଜ୍ୟରୁ ତଡ଼ିବାକୁ ଆଦେଶ ଦେଇଛନ୍ତି ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ସମସ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି । ରାଜ୍ୟଗୁଡ଼ିକ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଦୀର୍ଘ କାଳୀନ ଭିସାରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତଙ୍କ ଭିସା ବାତିଲ କରିବାକୁ ଭାରତ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବୁଧବାର ସରକାର ପହଲଗାମ ଆତଙ୍କବାଦ ଆକ୍ରମଣ ବିରୋଧ କରି ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ପାକିସ୍ତାନରେ ରହୁଥିବା ଭାରତର ତିନି ସେନା ପରାମର୍ଶ ଦାତାଙ୍କୁ ଭାରତ ଫେରିଆସିବାକୁ କହିଥିଲେ ।