ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ)ର ପ୍ରମୁଖ ମୋହନ ଭାଗବତ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନର ସଂଘର୍ଷ ଧର୍ମ ଓ ଅଧର୍ମ ମଧ୍ୟରେ ଜାରି ରହିଛି । ନା କୌଣସି ସଂପ୍ରଦାୟ କିମ୍ବା ଧର୍ମ ନାଁରେ ହେଉଛି । ଯେଉଁ ଲୋକେ ଧର୍ମ ପଚାରି ଲୋକଙ୍କ ହତ୍ୟା କରନ୍ତି, ସେମାନେ ଚରମପନ୍ଥୀ । ଏମିତି ଆଚରଣ ରାକ୍ଷସ ପ୍ରବୃତିର । ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଜୋର ଦେଇ ମୋହନ ଭାଗବତ କହିଛନ୍ତି, ଯଦି ଆମ ପାଖରେ ଶକ୍ତି ରହିଛି ତେବେ ଏହା ଦେଖାଇବାକୁ ପଡିବ ।
ଆରଏସଏସ ମୁଖ୍ୟ କହିଛନ୍ତି, ଏହି ଲଢେଇ ସଂପ୍ରଦାୟ କିମ୍ବା ଧର୍ମ ମଧ୍ୟରେ ନୁହେଁ । ଏହାର ଆଧାର କିନ୍ତୁ ଧର୍ମ ଓ ସଂପ୍ରଦାୟ ରହିଛି, ମାତ୍ର ବାସ୍ତବରେ ଏହି ଲଢେଇ ଧର୍ମ ଓ ଅଧର୍ମ ମଧ୍ୟରେ ରହିଛି । ଭାରତୀୟ ସୈନିକ କିମ୍ବା ନାଗରିକ କେବେ ବି ଧର୍ମ ପଚାରି ହତ୍ୟା କରି ନାହାନ୍ତି । ହିନ୍ଦୁ କେବ ଧର୍ମ ପଚାରି ହତ୍ୟା କରେ ନାହିଁ । ଯେଉଁ ଲୋକେ ଧର୍ମ ପଚାରି ହତ୍ୟା କରନ୍ତି, ସେମାନେ ଚରମପନ୍ଥୀ ଏବଂ ଏମିତି ଆଚରଣ ରାକ୍ଷସ ପ୍ରବୃତିର ।
ସେ କହିଛନ୍ତି, ପହଲଗାମକୁ ନେଇ ଆମ ହୃଦୟରେ ଯନ୍ତ୍ରଣା ରହିଛି । ଆମେ କ୍ଷୁବ୍ଧ ମାତ୍ର ଆମକୁ ଆତଙ୍କକୁ ନଷ୍ଟ କରିବା ପାଇଁ ଶକ୍ତି ଦେଖାଇବାକୁ ପଡିବ । ରାବଣ ନିଜର ଆଭିମୁଖ୍ୟ ନ ବଦଳାଇବାରୁ ଆଉ ବିକଳ୍ପ ନ ଥିଲା । ରାମ ତାଙ୍କୁ ସୁଧାରିବାକୁ ସୁଯୋଗ ଦେଇଥିଲେ ଏବଂ ତା ପରେ ହିଁ ତା ବଧ କରିଥିଲେ ।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟଙ୍କୁ ହମଲା କରିଥିଲେ । ଧର୍ମ ପଚାରି ୨୮ ଜଣଙ୍କ ନୃଶଂସ ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ଓଡିଶାର ଜଣେ ସାମିଲ । ଘଟଣା ପୂରା ଦେଶକୁ ମର୍ମାହତ କରିଛି । ଭାରତ ଆତଙ୍କତର ପୃଷ୍ଠପୋଷକ ପାକିସ୍ତାନ ଉପରେ ଦୃଢ ପଦକ୍ଷେପ ନେଇ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିବା ସହ ଅଟାରୀ ଚେକ ପୋଷ୍ଟ ବନ୍ଦ କରିଛି । ପାକିସ୍ତାନର ନାଗରିକଙ୍କ ସବୁ ପ୍ରକାରର ଭିସା ବାତିଲ କରିଛି ।