ନୂଆଦିଲ୍ଲୀ: ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ବୀର ଦାମୋଦର ସାବରକରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ । ରାହୁଲଙ୍କ ବୟାନକୁ ଦାୟିତ୍ୱହୀନତା ବୋଲି କହିଛନ୍ତି କୋର୍ଟ । ତେବେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ରହିତା ଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ ।
ବୀର ସାବରକରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ମାମଲାରେ ସୁପ୍ରିମକୋର୍ଟ ନ୍ୟାୟାଧୀଶ ଦୀପଙ୍କର ଦତ୍ତ ଏବଂ ନ୍ୟାୟାଧୀଶ ମନମୋହନଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି । ରାହୁଲଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ଖଣ୍ଡପୀଠ । ଆମେ ସ୍ୱାଧୀନତା ସଂଗ୍ରାମୀଙ୍କ ବିରୋଧରେ କୌଣସି ଅପମାନଜନକ ମନ୍ତବ୍ୟ ଦେବାର ଅନୁମତି ପ୍ରଦାନ କରୁ ନାହୁଁ । ମହାରାଷ୍ଟ୍ର ସାବରକରଙ୍କ ପୂଜା କରାଯାଇଥାଏ, ତେଣୁ ଆଗାମୀ ଦିନରେ ସାବରକରଙ୍କ ବିରୋଧରେ କୌଣସି ଅପମାନଜନକ ଶବ୍ଦ ପ୍ରୟୋଗ ନ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି । ଯଦି ଏଭଳି ଟିପ୍ପଣୀ ଦେବାରୁ ବିରତ ନ ହୁଅନ୍ତି ତେବେ ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି କୋର୍ଟ ।
ଅନ୍ୟପକ୍ଷରେ ଏହି ମାମଲାରେ ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିଛି । ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ବେଞ୍ଚ ଦେଇଥିବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏହି ମାନହାନି ମାମଲା ୨୦୨୨ ମସିହାରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ମହାରାଷ୍ଟ୍ରରେ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ବୟାନ ସହିତ ଜଡିତ। ଯେଉଁଥିରେ ରାହୁଲ ଗାନ୍ଧୀ ସାବରକରଙ୍କୁ 'ଇଂରେଜଙ୍କ ଦାସ' ବୋଲି କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ସାବରକର 'ଇଂରେଜମାନଙ୍କଠାରୁ ପେନସନ ନେଉଥିଲେ।' ଏ ସମ୍ପର୍କରେ ଆଇନଜୀବୀ ନୃପେନ୍ଦ୍ର ପାଣ୍ଡେ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ। ପ୍ରଥମ ଦୃଷ୍ଟିରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ IPC ୧୫୩ (ଏ) ଏବଂ ୫୦୫ ଅନୁଯାୟୀ ମାମଲାକୁ ବିଚାର କରି ନିମ୍ନ ଅଦାଲତ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଥିଲେ।
ଗତ ୪ ଏପ୍ରିଲରେ ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରୁ ଝଟକା ଲାଗିଥିଲା। ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ସମନ ଆଦେଶକୁ ବାତିଲ କରିବାକୁ ମନା କରିଦେଇଥିଲେ । କୋର୍ଟରେ ବିଚାରାଧୀନ ସାବରକର ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ ଲକ୍ଷ୍ନୌ ବେଞ୍ଚ।