ନିକଟରେ ଦୀର୍ଘ ୫ ଶତାବ୍ଦୀର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି ପଡ଼ି ସମଗ୍ର ହିନ୍ଦୁ ଜାତିର ଆରାଧ୍ୟ ଦେବତା ତଥା ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ତେବେ ପ୍ରତିଦିନ ସାରା ଦେଶରୁ ଅଯୋଧ୍ୟାକୁ ଛୁଟି ଆସୁଛନ୍ତି ଭକ୍ତ। ପ୍ରଭୁଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ତ୍ରେତୟା ଯୁଗରେ ଯେଉଁ ସ୍ଥାନରେ ପ୍ରଭୁ ଶ୍ରୀରାମଚନ୍ଦ୍ର କୌଶଲ୍ୟାଙ୍କ କୋଳମଣ୍ଡନ କରିଥିଲେ, ୫୦୦ ବର୍ଷ ପରେ ପୁଣି ସେହି ଆସ୍ଥାନରେ ୫ ବର୍ଷର ବାଳକ ରୂପରେ ପୂଜା ପାଉଛନ୍ତି ରାମଲାଲା। ତେବେ ରାମଲାଲାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ମୁଖ୍ୟ ପୂଜକ ଚିନ୍ତା ପ୍ରକଟ କରି ନୂତନ କାର୍ଯ୍ୟନିର୍ଘଣ୍ଟ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି।
ଜାନୁଆରୀ ୨୨ ତାରିଖରେ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଆୟୋଜିତ ହେବା ପରେ ଭକ୍ତଙ୍କ ସମାଗମ ଦେଖି ମନ୍ଦିର ଟ୍ରଷ୍ଟ ଦର୍ଶନ ସମୟ ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସେଥିପାଇଁ ଜାନୁଆରି ୨୩ ତାରିଖଠାରୁ ରାମ ଲଲ୍ଲାଙ୍କୁ ରାତି ୪ଟାରୁ ଉଠାଯାଇ ପୂଜାବିଧି କରାଯାଉଥିବା ବେଳେ ଏସବୁ ଦେଖି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ରାମଲାଲା ୫ ବର୍ଷର ବାଳକ ହୋଇଥିବାରୁ ୧୮ ଘଣ୍ଟା ଧରି ଭାରାକ୍ରାନ୍ତ ହୋଇ ରହିପାରିବେ ନାହିଁ। ତେଣୁ, ପ୍ରଭୁଙ୍କର ସ୍ବାସ୍ଥ୍ୟାବସ୍ଥା ପ୍ରତି ଧ୍ୟାନ ଦେଇ ପ୍ରତିଦିନ ଅପରାହ୍ଣ ୧୨.୩୦ରୁ ୧.୩୦ ପର୍ଯ୍ୟନ୍ତ ମନ୍ଦିର ଦ୍ବାର ବନ୍ଦ ରହିବ। ଏହି ସମୟରେ ରାମ ଲଲ୍ଲା ବିଶ୍ରାମ ନେବେ ବୋଲି କହିଛନ୍ତି ଆଚାର୍ଯ୍ୟ।
ଅଧିକ ପଢନ୍ତୁ:ମଣିପୁର ହିଂସା: ୨ ମୃତ, ୪୨ ଜଣ ଆହତ