ପୁଣିଥରେ ଅଶାନ୍ତ ମଣିପୁର। ହିଂସାରେ ଲାଗି ପାରୁନି ସ୍ଥାୟୀ ବ୍ରେକ। ଗତ ୮ ମାସରୁ ଜାତିଆଣ ଭେଦଭାବକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଦିନକୁ ଦିନ ତୀବ୍ର ହେବାକୁ ଲାଗିଲାଣି। ତେବେ ପୁଣିଥରେ ଗୁରୁବାର ବିଳମ୍ବିତ ରାତିରେ ମଣିପୁରର ଚୁରାଚାନ୍ଦପୁରରେ ହିଂସା ଆରମ୍ଭ ହୋଇଥିଲା। ଏଥିରେ ଉଗ୍ରବାଦୀ ପୋଲିସ ଅଧୀକ୍ଷକ ତଥା ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ଗୁଳି ଚଳାଇ ଅତିକମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ରାଜ୍ୟ ସରକାର କୁକି ପ୍ରାଧାନ୍ୟରେ ଥୁବା ଚୁରାଚାନ୍ଦପୁର ଜିଲ୍ଲାରେ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିଛନ୍ତି।
ଗୁରୁବାର ବିଳମ୍ବିତ ରାତିରେ ମିନି ସେକ୍ରେଟାରିଏଟ୍ ତଥା କଲେକ୍ଟରଙ୍କ ବାସଭବନ ନିକଟରେ ଘଟିଥିବା ଏହି ହିଂସା ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଦଲିଲ ଏବଂ ସରକାରୀ ରେକର୍ଡ ନଷ୍ଟ ହୋଇଯାଇଛି ବୋଲି ସୂଚନା ମିଳିଛି। ତେବେ କୁକୀ ସମ୍ପ୍ରଦାୟର ଏକ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।ମଧ୍ୟରାତ୍ର ପ୍ରାୟ ୧ଟା ସମୟରେ କ୍ରୋଧିତ ଜନତା ମଧ୍ୟ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟର ସରକାରୀ ବାସଭବନରେ ନିଆଁ ଲଗାଇ ଦେଇଥିଲେ।
ଏହି ସମୟରେ, ଆଦିବାସୀ ନେତୃବୃନ୍ଦ ଫୋରମ୍ (ଆଇଟିଏଲଏଫ୍) ଜିଲ୍ଲା ପୋଲିସ୍ ଅଧୀକ୍ଷକ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ଛାଡିବା ଏବଂ ସେମାନଙ୍କ ସ୍ଥାନରେ କୁକି-ଜୋ ସମ୍ପ୍ରଦାୟର ଅଧିକାରୀମାନଙ୍କୁ ପ୍ରାଥମିକତା ଦିଆଯିବା ପାଇଁ ଦାବି କରିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଯଦି ପୋଲିସ ସିୟାମଲପାଲଙ୍କ ନିଲମ୍ବନ ପ୍ରତ୍ୟାହାର ନହୁଏ ତେବେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କହିଛି। ଏପରି ପରିସ୍ଥିତି ଉପୁଜିଲେ ଏସପି ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦାୟୀ ରହିବେ ବୋଲି ମଧ୍ୟ ITLF ଚେତାବନୀ ଦେଇଛି।
ଅଧିକ ପଢନ୍ତୁ:ଭର୍ଚୁଆଲ ମୋଡ୍ ରେ କେଜ୍ରିୱାଲ; କୋର୍ଟ ନ ଯାଇ ଭିସି ଜରିଆରେ ହାଜର