ନୂଆଦିଲ୍ଲୀ: ଅସ୍ତ୍ରବିରତି ଘୋଷଣାକୁ କେଇ ଘଣ୍ଟା ନ ହେଉଣୁ ପାକିସ୍ତାନ ପୁଣି ତରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜମ୍ମୁର ଅନେକ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷଣ କରାଯାଇଛି। ଶ୍ରୀନଗରର ଅନେକ ଅଞ୍ଚଳରେ ୭ ରୁ ୮ଟି ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି। କାଶ୍ମୀରର ସଫାଫୋରା ଏବଂ ଗାଣ୍ଡେରବଲ ଅଞ୍ଚଳରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଅସ୍ତ୍ରବିରତି ସତ୍ତ୍ୱେ, ପାକିସ୍ତାନ ଜମ୍ମୁ-କାଶ୍ମୀରର ସାମ୍ବା, ରାଜୌରୀ, ଅଖନୁର ଏବଂ ଉଧମପୁର ଅଞ୍ଚଳରେ ଲଗାତାର ଗୁଳିମାଡ଼ କରୁଛି।
କାଶ୍ମୀର ସହିତ ଗୁଜରାଟର କଚ୍ଛ ସୀମାନ୍ତରେ ହରାମି ନାଲା ଏବଂ ଖାଭଡା ନିକଟରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି। ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ରାଜସ୍ଥାନର ବାରମେରରେ ବାୟୁସେନା ଆକ୍ରମଣର ସାଇରନ ବାଜିବା ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି। ସମଗ୍ର ଅଞ୍ଚଳକୁ ବ୍ଲାକଆଉଟ୍ ଘୋଷଣା କରାଯାଇଛି।
ଏଥିସହ ଗୁଜୁରାଟ ଏବଂ ରାଜସ୍ଥାନର ଅନେକ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି। ଏୟାର ଡିଫେନ୍ସ ସିଷ୍ଟମ ଜରିଆରେ ଭାରତୀୟ ସେନା ଡ୍ରୋନକୁ ମାରି ଖସାଇ ଦେଇଛି। ସମଗ୍ର ଅଞ୍ଚଳକୁ ବ୍ଲାକଆଉଟ୍ ଲାଗୁ କରାଯାଇଛି। ସାଇରନ ମଧ୍ୟ ବାଜି ଉଠିଛି। ସ୍ଥାନୀୟ ଲୋକଙ୍କୁ ନିଜ ଘରେ ରହିବାକୁ ଏବଂ ଲାଇଟ୍ ନ ଜଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଆଜି ଅପରାହ୍ଣରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇଥିଲା। ଉଭୟ ଦେଶ କୌଣସି ପ୍ରକାରେ ପରସ୍ପର ଉପରେ ଗୁଳିମାଡ଼ କିମ୍ବା ବିମାନ ଆକ୍ରମଣ ନକରିବାକୁ ରାଜି ହୋଇଥିଲେ। ମାତ୍ର କିଛି ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତୀୟ ସେନା ଏହାର ମୁହଁତୋଡ଼ ଜବାବ ଦେଉଛନ୍ତି।