ନୂଆଦିଲ୍ଲୀ: ପହଲଗାମ ନରସଂହାର ଏବଂ ଭାରତର ଆତଙ୍କବାଦୀ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ପରେ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ସୃଷ୍ଟି ହୋଇଥିଲା ଉତ୍ତେଜନା ପରିସ୍ଥିତିରେ ବିରତି ଲାଗିଛି । ଦୁଇ ଦେଶ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ କରିଛନ୍ତି । ପାକିସ୍ତାନ ସୈନ୍ୟ ସଞ୍ଚାଳନ ମହାନିର୍ଦ୍ଦେଶକ (ଡିଜିଏମଓ)ଙ୍କ ଆଲୋଚନା ପରେ ଭାରତ ସହମତି ପ୍ରକାଶ କରିଛି । ଶନିବାର ସନ୍ଧ୍ୟା ୫ଟା (୧୦ ମଇ, ୨୦୨୫) ଠାରୁ ଦୁଇ ଦେଶ ମଧ୍ୟ ଅସ୍ତ୍ରବିରତି ଲାଗୁ ହୋଇଛି । ଏ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି । କିନ୍ତୁ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିବ ବୋଲି ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଅପରେସନ ସିନ୍ଦୂର ସହିତ ଭାରତୀୟ ସେନାମାନଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଭୟଭୀତ ପାକିସ୍ତାନ ବିଶ୍ୱର ଅନେକ ଦେଶଙ୍କୁ ଭାରତ ସହିତ ଶାନ୍ତି ଏବଂ ସମାଧାନ ପାଇଁ ନିବେଦନ କରିଥିଲେ । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଡ୍ରମ୍ପ ସୋସିଆଲ ମିଡିଆ ଏକ୍ସ ଜରିଆରେ ଏକ ପୋଷ୍ଟ ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଦାବି କରିଛନ୍ତି।ଟ୍ରମ୍ପଙ୍କ ଏହି ବକ୍ତବ୍ୟକୁ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୁଳିବିନିମୟ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାର ନିଷ୍ପତ୍ତି ସିଧାସଳଖ ଦୁଇ ଦେଶ ମଧ୍ୟରେ ନିଆଯାଇଛି ।
ବୈଦେଶିକ ସଚିବ ବିକ୍ରମ ମିସ୍ରୀ ସୂଚନା ଦେଇଛନ୍ତି ଯେ ଶନିବାର (୧୦ ମଇ, ୨୦୨୫) ଅପରାହ୍ନରେ ପାକିସ୍ତାନ ଡିଜିଏମଓ ଏକ ଫୋନ୍ କଲ୍ କରି ଏହି ବିଷୟରେ ପ୍ରଥମେ କଥା ଆରମ୍ଭ କରିଥିଲେ । ଏହା ପରେ ଆଲୋଚନା ହୋଇଥିଲା ଏବଂ ଭାରତ ଏଥିରେ ସହମତି ପ୍ରକାଶ କରିଥିଲା । ପାକିସ୍ତାନ ସ୍ପଷ୍ଟ ଭାବରେ କହିଛି ଯେ ସେ କୌଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ।
ତେବେ ଅସ୍ତ୍ରବିରତି ପରେ ମଧ୍ୟ ପାକିସ୍ତାନ ବିରୁଦ୍ଧରେ ଭାରତ କୂଟନୈତିକ ସ୍ତରରେ ନେଇଥିବା ନିଷ୍ପତ୍ତି ବଳବତ୍ତର ରହିବ । ଯେପରିକି...
ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ।
କୌଣସି ବାଣିଜ୍ୟ ସମ୍ପର୍କ ପୁନଃସ୍ଥାପିତ ହେବ ନାହିଁ।
କୂଟନୈତିକ ସ୍ତରରେ ମଧ୍ୟ ସ୍ଥିତାବସ୍ଥା ବଜାୟ ରହିବ । ପାକିସ୍ତାନକୁ ଫେରିଯାଇଥିବା ଦୂତାବାସର କୂଟନୀତିଜ୍ଞମାନଙ୍କୁ ଆଉ ଭାରତ ଫେରିବାକୁ ଅନୁମତି ମିଳିବ ନାହିଁ।
ପାକିସ୍ତାନ ଉପରେ ଲାଗୁ ହୋଇଥିବା ଆର୍ଥିକ କଟକଣା ମଧ୍ୟ ଜାରି ରହିବ। କୌଣସି ମାଲବାହୀ ଜାହାଜ ଇତ୍ୟାଦି ଭାରତୀୟ ବନ୍ଦରକୁ ଆସିପାରିବେ ନାହିଁ।
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଥିଲେ ଯେ ଆମେରିକାର ମଧ୍ୟସ୍ଥତା ଯୋଗୁଁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି । ସେ କହିଛନ୍ତି, "ଆମେରିକା ମଧ୍ୟସ୍ଥତାରେ ଦୀର୍ଘ ରାତିର ଆଲୋଚନା ପରେ, ମୁଁ ଘୋଷଣା କରି ଖୁସି ହେଉଛି ଯେ ଭାରତ ଏବଂ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଉଭୟ ଦେଶକୁ ଅଭିନନ୍ଦନ।" ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର X ରେ ପୋଷ୍ଟ କରିଛନ୍ତି ଯେ ପାକିସ୍ତାନ ଏବଂ ଭାରତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି।