ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉତ୍ପନ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଥାନ ସୀମାବର୍ତ୍ତୀ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି । ବାଡମେର ଓ ଯୋଧପୁରରେ ରେଡ୍ ଆଲର୍ଟ ଜାରି କରାଯାଇ ଲୋକଙ୍କୁ ନିଜର ସମସ୍ତ ଯାତ୍ରା ସ୍ଥଗିତ ରଖି ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବାଡମେର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ଲୋକଙ୍କୁ ଚେତାବନୀ ଦିଆଯାଇଛି ଯେ, ଜିଲ୍ଲାର ଯେଉଁ ବ୍ୟକ୍ତି ଗାଁ କିମ୍ବା ବାହାରେ ଅଛନ୍ତି ସେମାନେ ବାଡମେର ସହର ଅଭିମୁଖେ ଯାତ୍ରା କରନ୍ତୁ ନାହିଁ । ସମସ୍ତଙ୍କୁ ଅନୁରୋଧ ଦୟାକରି ବାଡମେର ସହ ଯାତ୍ରା କରନ୍ତୁ ନାହିଁ । ବାଡମେର ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ତେଣୁ ତୁରନ୍ତ ଯାତ୍ରା ସ୍ଥଗିତ କରି ଘରେ ରୁହନ୍ତୁ । ଏହା ସହିତ ଦୋକାନ ବଜାର ବନ୍ଦ କରି ଦିଆଯାଇଛି । ସହରରେ ସବୁ ପ୍ରକାରର ଗତିବିଧି ଉପରେ ରୋକ୍ ଲଗାଯାଇଛି ।
ସେହିପରି ଯୋଧପୁରରେ ବି ପାକିସ୍ତାନୀ ଏୟାର ଷ୍ଟ୍ରାଇକର ଆଶଙ୍କା ରହିଛି । ଲୋକଙ୍କୁ ଯଥାଶୀଘ୍ର ଘର ଭିତରେ ରହିବାକୁ କୁହାଯାଇଛି । ଡିଏମଙ୍କ ତରଫରୁ ଜାରି ଆଲର୍ଟରେ କୁହାଯାଇଛି ଯେ, ଏୟାର ଷ୍ଟ୍ରାଇକ ହୋଇପାରେ । ସହରରେ ସାଇରନ ବି ବାଜି ଉଠିଛି । ରାସ୍ତାଘାଟ ଓ ଦୋକାନ ବଜାର ସବୁ ଖାଲି କରି ଦିଆଯାଇଛି । ଏହା ବ୍ୟତୀତ ଚୁରୁରେ ବି ବିପଦର ଆଶଙ୍କା ଦେଖି ଆଲର୍ଟ ଜାରି କରାଯାଇଛି ।
ରାଜସ୍ଥାନ ଓ ଭିନ୍ନ ଭିନ୍ନ ଅଞ୍ଚଳରେ ମିଳୁଛି ମିସାଇଲ ଖଣ୍ଡ
ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଜମ୍ମୁ-କାଶ୍ମୀର, ରାଜସ୍ଥାନ ଓ ଗୁଜରାଟର ଅନେକ ସୀମାବର୍ତ୍ତୀ ଅଞ୍ଚଳରେ ମିସାଇଲ ଓ ଡ୍ରୋନ ହମଲା କରିବାକୁ ଉଦ୍ୟମ କରୁଛି । ହେଲେ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ପ୍ରତିଟି ହମଲାକୁ ପ୍ରତିହତ କରି ଦେଉଛି । ପ୍ରତିଜବାବରେ ଭାରତ ପାକିସ୍ତାନର ଏୟାରବେସକୁ ଉଡାଇ ଦେଇଛି । ଏହ ମଧ୍ୟରେ ରାଜସ୍ଥାନର ଅନେକ ଅଞ୍ଚଳରେ ମିସାଇଲ ଖଣ୍ଡ ମିଳିଛି । ଶନିବାର ସକାଳେ ପୋଲିସ ବାଡମେରରୁ ମିସାଇଲର ଭଗ୍ନାବଶେଷ ଜବତ କରିଛି । ଏମିତି ଖଣ୍ଡ ପୋଖରାଣ ଓ ଜୈସଲମେରରେ ମଧ୍ୟ ଜବତ କରାଯାଇଛି ।