ନୂଆଦିଲ୍ଲୀ: ଅସ୍ତ୍ର ବିରତି ଘୋଷଣାକୁ କେଇ ଘଣ୍ଟା ନ ଯାଉଣୁ ଏହାର ଉଲ୍ଲଂଘନ କରିଛି ପାକିସ୍ତାନ । ପୁଣି ଭାରତୀୟ ସୀମାବର୍ତ୍ତୀ ରାଜ୍ୟଗୁଡିକ ଉପରେ ଡ୍ରୋନ ପଠାଇବା ସହ ଏଲଓସିରେ ଗୁଳିମାଡ କରିଛି । ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଉଛନ୍ତି । ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ସେ କହିଛନ୍ତି, ଭାରତ ଓ ପାକିସ୍ତାନର ଡିଜିଏମଓ ମଧ୍ୟରେ ଗତ କିଛି ଦିନ ଧରି ଚାଲିଥିବା ସଂଘର୍ଷକୁ ରୋକିବା ପାଇଁ ରାଜିନାମା ଆଜି ସନ୍ଧ୍ୟାରେ ହୋଇଥିଲା । ଦୁଇ ଦେଶ ଅସ୍ତ୍ରବିରତି ପାଇଁ ସହମତି ହେଇଥିଲେ । କିନ୍ତୁ ପାକିସ୍ତାନ ଉଲ୍ଲଂଘନ କରିଛି । ଭାରତୀୟ ସେନା ଏହାର ଜବାବ ଦେଉଛନ୍ତି ଏବଂ ସୀମାରେ ଅନୁପ୍ରବେଶର ମୁକାବିଲା କରୁଛନ୍ତି । ଏମିତି ଅନୁପ୍ରବେଶ ଅତ୍ୟନ୍ତ ନିନ୍ଦନୀୟ ଓ ପାକିସ୍ତାନ ଏଥିପାଇଁ ଦାୟୀ ।
ସେ ଏହା ମଧ୍ୟ କହିଛନ୍ତି, ପାକିସ୍ତାନ ଏହି ସ୍ଥିତିକୁ ଠିକରେ ବୁଝୁ ଏବଂ ଅନୁପ୍ରବେଶ ରୋକିବା ପାଇଁ ତୁରନ୍ତ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେଉ । ସେନା ଏହି ସ୍ଥିତି ଉପରେ କଡା ନଜର ରଖିଛନ୍ତି ଏବଂ କୌଣସି ପ୍ରକାରର ଅନୁପ୍ରବେଶର ମୁକାବିଲାର ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଦେଶ ଦିଆଯାଇଛି ।
ଶନିବାର ସନ୍ଧ୍ୟା ୫ଟାରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଥିଲା । ତୁରନ୍ତ ଦୁଇ ପକ୍ଷକୁ ସଂଘର୍ଷ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତିର ସର୍ବପ୍ରଥମେ ଘୋଷଣା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିଥିଲେ । ଟ୍ରୁଥ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟ୍ରମ୍ପ କହିଥିଲେ, ଆମେରିକାର ମଧ୍ୟସ୍ଥତାରେ ରାତିରେ ଲମ୍ବା ଆଲୋଚନା ପରେ ମୋତେ ଏହି ଘୋଷଣା କରି ଖୁସି ଲାଗୁଛି ଯେ, ଭାରତ ଓ ପାକିସ୍ତାନ ପୂର୍ଣ୍ଣ ଭାବେ ଓ ତତ୍କାଳ ପ୍ରଭାବରୁ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଦୁଇ ଦେଶ ସାଧାରଣ ଜ୍ଞାନ ଓ ମହାନ ବୁଦ୍ଧିମତା ବ୍ୟବହାର କରିଥିବାରୁ ସେମାନଙ୍କୁ ଧନ୍ୟବାଦ।
ଅସ୍ତ୍ରବିରତି ସତ୍ତ୍ୱେ, ପାକିସ୍ତାନ ଜମ୍ମୁ-କାଶ୍ମୀରର ସାମ୍ବା, ରାଜୌରୀ, ଅଖନୁର ଏବଂ ଉଧମପୁର ଅଞ୍ଚଳରେ ଲଗାତାର ଗୁଳିମାଡ଼ କରୁଛି। କାଶ୍ମୀର ସହିତ ଗୁଜରାଟର କଚ୍ଛ ସୀମାନ୍ତରେ ହରାମି ନାଲା ଏବଂ ଖାଭଡା ନିକଟରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି।