ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ । ତେବେ ଏହି ଘୋଷଣାର ତିନି ଘଣ୍ଟା ପରେ ପାକିସ୍ତାନୀ ସୈନିକ ପୁଣି ଥରେ ଭାରତୀୟ ସୀମାବର୍ତ୍ତୀ ସହର ଉପରେ ଡ୍ରୋନ ହମଲା ଆରମ୍ଭ କରି ଦେଇଛି । ଏହି ଘଟଣାରୁ ସ୍ପଷ୍ଟ ହୋଇ ଯାଇଛି ଯେ, ପାକିସ୍ତାନ ସେନା ଓ ସରକାର ମଧ୍ୟରେ ସମନ୍ୱୟ ନାହିଁ ।
ପାକିସ୍ତାନର ସେନା କଦାପି ଚାହୁଁ ନାହାନ୍ତି ଯେ, ସୁଖ ଶାନ୍ତି କାଏମ ରହୁ । ଅସ୍ତ୍ରବିରତି କାର୍ୟ୍ୟକାରୀ ହେବାର ପ୍ରାୟ ତିନି ଘଣ୍ଟା ପରେ ରାତି ୮ଟା ୩୯ ମିନିଟରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶାନ୍ତି ଆଲୋଚନାରେ ସହଯୋଗ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ।
ଯୁଦ୍ଧବିରତି ପାଇଁ ପାକିସ୍ତାନ ଆମେରିକାକୁ ପ୍ରଶଂସା କରିଛି। ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଆମେ ଏହାକୁ ଗ୍ରହଣ କରିଛୁ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି। ଦକ୍ଷିଣ ଏସିଆରେ ଶାନ୍ତି ପ୍ରତି ଅମୂଲ୍ୟ ଅବଦାନ ପାଇଁ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ରାଜ୍ୟ ସଚିବ ମାର୍କୋ ରୁବିଓଙ୍କୁ ମଧ୍ୟ ଧନ୍ୟବାଦ। ପାକିସ୍ତାନ ବିଶ୍ୱାସ କରେ ଯେ ଏହା ଶାନ୍ତି ଏବଂ ସମୃଦ୍ଧିର ପଥରେ ବାଧା ସୃଷ୍ଟି କରୁଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ।
ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜଙ୍କ ପୋଷ୍ଟ ପରେ ସେନା ଯେପରି ଖୋଲାଖୋଲି ଭାବରେ ଅସ୍ତ୍ରବିରତି ଉଲ୍ଲଂଘନ କଲା, ସେଥିରୁ ଜଣାପଡୁଛି ଯେ ସେନା ଦେଶର ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ। ସେନା ଏହି ଅଞ୍ଚଳର ଶାନ୍ତି କିମ୍ବା ଅନ୍ତର୍ଜାତୀୟ ବ୍ୟବସ୍ଥାକୁ କୌଣସି ଗୁରୁତ୍ୱ ଦିଏ ନାହିଁ। ତାଙ୍କ ଦେଶର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କିଛି ବୋଲି ମାନେ ନାହିଁ। ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନରେ ପ୍ରକୃତ କ୍ଷମତା ସେନା ପାଖରେ ଅଛି।