ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ସଂଘର୍ଷ ଉପରେ ଆମେରିକା ସହିତ ପୂରା ଦୁନିଆର ନଜର ରହିଛି । ଅପରେସନ ସିନ୍ଦୂର ପରେ ହତାଶରେ ବୁଡି ରହିଥିବା ପାକିସ୍ତାନ ଲଗାତାର ଭାରତର ସୀମାନ୍ତବର୍ତ୍ତୀ ରାଜ୍ୟଗୁଡିକରେ ଡ୍ରୋନ ଆକ୍ରମଣ କରି ଚାଲିଛି । କିନ୍ତୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ସବୁ ଡ୍ରୋନକୁ ନଷ୍ଟ କରି ଦେଇଛି । ଏହା ମଧ୍ୟରେ ଆମେରିକା ଲଗାତାର ଭାରତ ଓ ପାକିସ୍ତାନକୁ ଶାନ୍ତିର ଅପିଲ୍ କରି ଚାଲିଛି ।
ହ୍ୱାଇଟ୍ ହାଉସର ପ୍ରେସ ସଚିବ କ୍ୟାରୋଲିନ ଲେଭିଟ୍ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ଉପରେ କହିଛନ୍ତି, ଏହା ଏମିତି ଏକ ପ୍ରସଙ୍ଗ ଯାହା ଉପରେ ଆମର ବୈଦେଶିକ ମନ୍ତ୍ରୀ ଓ ଏନଏସଏ ମାର୍କୋ ରୁବିଓ ଲଗାତାର ନଜର ରଖିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଉତ୍ତେଜନାକୁ ଯଥା ଶୀଘ୍ର କମ କରିବା ପାଇଁ ଅପିଲ୍ କରିଛନ୍ତି । ଆମେରିକାର ବୈଦେଶିକ ମନ୍ତ୍ରୀ ନିରନ୍ତର ଭାବେ ଦୁଇ ଦେଶର ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ସୂଚନାଯୋଗ୍ୟ, କ୍ରମାଗତ ତୃତୀୟ ଦିନରେ ପାକିସ୍ତାନ ଭାରତର ବିଭିନ୍ନ ସ୍ଥାନକୁ ଡ୍ରୋନ୍ ଆକ୍ରମଣ କରିଛି । ପଶ୍ଚିମରୁ ନେଇ ଉତ୍ତର ଭାରତର ଅନେକ ସୀମାବର୍ତ୍ତୀ ରାଜ୍ୟ ଯଥା ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ଡ୍ରୋନ୍ ଆକ୍ରମଣ କରିଛି । ଆଜି ମଧ୍ୟ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ବାୟୁ ପ୍ରତିରକ୍ଷା ସିଷ୍ଟମ୍ ଦ୍ୱାରା ସମସ୍ତ ଡ୍ରୋନ୍ ମିସାଇଲକୁ ଅକାମୀ କରିବାରେ ସଫଳ କରାଯାଉଛି । ଏହି ସବୁ ରାଜ୍ୟରେ ସନ୍ଧ୍ୟା ପରଠାରୁ ବିଭିନ୍ନ ସ୍ଥାନରେ ବ୍ଲାକ୍ ଆଉଟ୍ ଘୋଷଣା କରାଯାଇଛି ।