ନୂଆଦିଲ୍ଲୀ: ଭାରତ ସହ ସଂଘର୍ଷ ମଧ୍ୟରେ କାଙ୍ଗାଳ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ) ୧.୩ ବିଲିୟନ ଡଲାରର ବେଲଆଉଟ୍ ପ୍ୟାକେଜକୁ ମଞ୍ଜୁରୀ ଦେଇଛି । ପ୍ରଥମ କିସ୍ତି ସ୍ୱରୂପ ଏକ ବିଲିୟନ ଡଲାର ଜାରି କରାଯାଇଛି । ଭୋଟିଂରୁ ଭାରତ ବିରତ ରହିଥିଲା ଏବଂ ପାକିସ୍ତାନକୁ ଫଣ୍ଡିଂ ଦେବାର ବିରୋଧ କରିଥିଲା । କିନ୍ତୁ ଆଇଏମଏଫ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ବଡ ଆଶ୍ୱସ୍ତି ଦେଇଛି ।
ଭାରତ ଆଇଏମଏଫ ସମ୍ମୁଖରେ ପାକିସ୍ତାନର ଖରାପ ରେକର୍ଡକୁ ନେଇ ଚିନ୍ତା ପ୍ରକାଶ କରିଛି । ଯଦି ପାକିସ୍ତାନକୁ ଫଣ୍ଡିଂ ଦିଆଯିବ ତେବେ ଏହି ଦେଶର ଏହାର ଦୁରୁପଯୋଗ କରିବ । ପାକିସ୍ତାନ ଦୀର୍ଘ ସମୟ ଧରି ଆଇଏମଏଫ ନିକଟରେ ଋଣୀ ହୋଇ ରହିଛି । ଆଇଏମଏଫ କାର୍ଯ୍ୟକ୍ରମ ସର୍ତ୍ତ ପାଳନରେ ପାକିସ୍ତାନରେ ଟ୍ରାକ ରେକର୍ଡ ବହୁତ ଖରାପ ରହିଛି । ୧୯୮୯ରୁ ୩୫ ବର୍ଷରେ ପାକିସ୍ତାନକୁ ଆଇଏମଏଫଠୁ ୨୮ ବର୍ଷ ଧରି ଲଗାତାର ଲୋନ ମିଳି ଚାଲିଛି. ୨୦୧୯ରୁ ଗତ ୫ ବର୍ଷରେ ଆଇଏମଏଫ ୪ ଥର ଋଣ ଦେଇ ସାରିଛି ।
ଭାରତ କହିଛି ଯଦି ଋଣକୁ ସଠିକ ଭାବେ ବ୍ୟବହାର କରାଯାଇଥାନ୍ତା ତେବେ ପାକିସ୍ତାନକୁ ଆଉ ଏକ ବେଲ ଆଉଟ୍ ପ୍ୟାକେଜ୍ ପାଇଁ ଆଇଏମଏଫ ନିକଟକୁ ଆସିବାକୁ ପଡି ନ ଥାନ୍ତା । ଏମିତି ସ୍ଥିତିରେ ପାକିସ୍ତାନକୁ ଆଉ ଏକ ବେଲ ଆଉଟ୍ ପ୍ୟାକେଜ ଦିଆଯିବାର କୌଣସି ଆବଶ୍ୟକତା ନାହିଁ । ତଥାପି ଆଇଏମଏଫ ପାକିସ୍ତାନକୁ ପୁଣି ଥରେ ଋଣ ଦେଇଛି ।
ଭାରତ ଆଇଏମଏଫର ବୈଠକରେ କହିଛି ଯେ, ପାକିସ୍ତାନ ଆଇଏମଏଫରୁ ମିଳୁଥିବା ଅର୍ଥକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଖର୍ଚ୍ଚ କରୁଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି । ଏମିତି ଦେଶକୁ ଋଣ ଦେବା ବିପଦଜ୍ଜନକ । ଏମିତି ହେଲେ ଲୋନ ଦେଉଥିବା ସଂସ୍ଥାର ସମ୍ମାନ କ୍ଷୁର୍ଣ୍ଣ ହେବ । ଏହାସହିତ ବିଶ୍ୱସ୍ତରରେ ଆଇଏମଏଫ ପରିହାସର ପାତ୍ର ପାଲଟିବ । ଭାରତ ପାକିସ୍ତାନକୁ ଦିଆଯାଇଥିବା ବେଲଆଉଟ୍ ପ୍ୟାକେଜ୍ ଉପରେ ଭୋଟିଂ ଦେବାକୁ ନିବୃତ ରହିଥିଲା ।