ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ସଂଘର୍ଷରେ ବିରାମ ଲାଗିଛି। ଦୁଇ ଦେଶ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଅସ୍ତ୍ରବିରତି ହୋଇଥିବା ଘୋଷଣା କରିଛନ୍ତି।ଅସ୍ତ୍ରବିରତି ଘୋଷଣା ପରେ ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)କୁ ପୁଣି ଆରମ୍ଭ କରାଯିବାର ପଥ ପରିଷ୍କାର ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିବା କାରଣରୁ ୯ ତାରିଖରେ ଆଇପିଏଲ୍କୁ ସପ୍ତାହେ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏବେ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ଖେଳାଯିବା ନେଇ ବିସିସିଆଇ ଶୀଘ୍ର ଘୋଷଣା କରିପାରେ।
ମେ ୮ ତାରିଖ ଧର୍ମଶାଳାରେ ଆଇପିଏଲ୍ର ୫୮ ତମ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଥିଲା। ମାତ୍ର ବ୍ଲାକଆଉଟ୍ କାରଣରୁ ମ୍ୟାଚ୍ ରଦ୍ଦ କରାଯାଇଥିଲା। ମ୍ୟାଚ୍ ସ୍ଥଗିତ ହେବା ସମୟରେ ପଞ୍ଜାବ ୧୦.୧ ଓଭରରେ ଏକ ଓ୍ଵିକେଟ୍ ହରାଇ ୧୨୨ ରନ କରିଥିଲା। ପ୍ରିୟାଂଶ ଆର୍ଯ୍ୟ ବିସ୍ଫୋରକ ବ୍ୟାଟିଂ କରି ୩୪ ବଲ୍ରୁ ୫ ଚୌକା ଓ ୬ ଛକା ସହ ୭୦ ରନ କରିଥିଲେ। ପ୍ରଭସିମରନ ସିଂ ୫୦ ରନ ଓ ଅଧିନାୟକ ଶ୍ରେୟସ ଆୟର ୦ ରନ କରି ଅପରାଜିତ ଥିଲେ। ଏବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବା ପରେ ବିସିସିଆଇ ପୁନର୍ବାର ଆଇପିଏଲ୍ ମ୍ୟାଚ୍ ଆରମ୍ଭ କରିପାରେ।
ଆଇପିଏଲ୍ରେ ଲିଗ୍ ଓ ପ୍ଲେ ଅଫ୍ ସମେତ ୧୬ଟି ମ୍ୟାଚ୍ ଖେଳାଯିବ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହାଇଦ୍ରାବାଦରେ କ୍ଵାଲିଫାୟର ଓ ଏଲିମିନେଟର ମୁକାବିଲା ଖେଳା ଯିବାର ଥିଲା। ତେବେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ କିଛି ସହରରେ ସୀମିତ ରଖାଯିବାର ସମ୍ଭାବନା ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩ କିମ୍ବା ୪ ସହରରେ ଆୟୋଜନ କରାଯାଇପାରେ। ଏହା ସହିତ ଭାରତର ଇଂଲଣ୍ଡ ଗସ୍ତକୁ ଦୃଷ୍ଟିରେ ରଖି ବିସିସିଆଇ ଶୀଘ୍ର ଆଇପିଏଲ୍ ସାରିବାକୁ ଚେଷ୍ଟା କରିବ।