ଉତ୍ତରାଖଣ୍ତ: ଚାରିଧାମ ଯାତ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କେଦାରନାଥ ଯାତ୍ରା ପାଇଁ ଉତ୍ତରାଖଣ୍ଡ ଆସୁଥିବା ଭକ୍ତମାନଙ୍କ ପାଇଁ ହେଲିକପ୍ଟର ସେବା ଜାରି ରହିବ। ସୋସିଆଲ ମିଡିଆ ମାଧ୍ୟମରେ ହେଲିକପ୍ଟର ସେବା ବାତିଲ ପାଇଁ ନିର୍ଦ୍ଧେଶ ଆସିଥିଲା । ଏବେ ଏହି ଦାବି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିବୃତ୍ତି ଆସିଛି।
ଉତ୍ତରାଖଣ୍ଡର ସୂଚନା ନିର୍ଦ୍ଦେଶକ ବଂଶୀଧର ତିୱାରୀ ସ୍ପଷ୍ଟ କରିଛନ୍ତି ଯେ ଚାରିଧାମ ଯାତ୍ରା ପାଇଁ ହେଲିକପ୍ଟର ସେବା ବନ୍ଦ କରାଯାଇ ନାହିଁ। ସେ କହିଥିଲେ ଯେ ଯାତ୍ରା ସମ୍ପୂର୍ଣ୍ଣ ସୁରୁଖୁରୁରେ ଚାଲିଛି ଏବଂ ଭକ୍ତମାନଙ୍କୁ ଦ୍ୱନ୍ଦ୍ୱରେ ପଡ଼ିବା ଆବଶ୍ୟକ ନାହିଁ।
ରାଜ୍ୟ ସରକାର କହିଛନ୍ତି ଯେ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ କିଛି ସୂଚନା ଦ୍ରୁତ ଗତିରେ ପ୍ରସାରିତ ହୋଇଛି, ଯାହା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଏହି କାରଣରୁ, ଅନେକ ଯାତ୍ରୀ ସେମାନଙ୍କର ବୁକିଂ ବାତିଲ କରିଥିଲେ, ଯାହା ପର୍ଯ୍ୟଟନ ଏବଂ ଯାତ୍ରା ବ୍ୟବସ୍ଥାକୁ ପ୍ରଭାବିତ କରିଥିଲା।
ବଂଶୀଧର ତିୱାରୀ କହିଛନ୍ତି ଯେ କେଦାରନାଥ ସମେତ ଚାରିଧାମକୁ ଯାତ୍ରା ପୂର୍ବପରି ଜାରି ରହିଛି ଏବଂ ହେଲିକପ୍ଟର ସେବା ମଧ୍ୟ କାର୍ଯ୍ୟକ୍ଷମ ଅଛି। ସରକାର ଏହି ପ୍ରସଙ୍ଗରେ ସ୍ପଷ୍ଟତା ଆଣିଛନ୍ତି, ଏହା ସହିତ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ବି ଦୂର କରିଛନ୍ତି। ଯାହା ଦ୍ଵାରା ଭକ୍ତମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନ ହୋଇ ଯାତ୍ରା କରିପାରିବେ। ବର୍ତ୍ତମାନ, ଚାରିଧାମ ଯାତ୍ରା ଏବଂ ହେଲିକପ୍ଟର ସେବା ଉଭୟ ସ୍ୱାଭାବିକ ଭାବରେ ଚାଲୁଛି।
ମୁଖ୍ୟମନ୍ତ୍ରୀ ଧାମୀ ନିଜର ସୋସିଆଲ ମିଡିଆ ହ୍ୟାଣ୍ତେଲ X ଜରିଆରେ ଲେଖିଛନ୍ତି, "ରାଜ୍ୟରେ ଚାରଧାମ ଯାତ୍ରା ବିନା କୌଣସି ପ୍ରତିବନ୍ଧକରେ ପରିଚାଳିତ ହେଉଛି। ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ କରିସାରିଛନ୍ତି। ଶ୍ରୀ କେଦାରନାଥ ଧାମ ପାଇଁ ହେଲିକପ୍ଟର ସେବା ମଧ୍ୟ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହୋଇଛି। ଆପଣଙ୍କୁ କୌଣସି ପ୍ରକାରର ଗୁଜବରେ ଧ୍ୟାନ ନଦେବାକୁ ଅନୁରୋଧ କରାଯାଉଛି। ରାଜ୍ୟ ସରକାର ଆପଣଙ୍କ ଯାତ୍ରା ଅଭିଜ୍ଞତାକୁ ନିରାପଦ ଏବଂ ସୁଗମ କରିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି। ଯେକୌଣସି ସୂଚନା ଏବଂ ସହାୟତା ପାଇଁ, ଆପଣ ହେଲ୍ପଲାଇନ୍ ନମ୍ବର ୧୩୬୪ ଏବଂ ୦୧୩୫-୧୩୬୪ ରେ କଲ୍ କରିପାରିବେ।"