ଭାରତ ଓ ପାକିସ୍ତାନ ଯୁଦ୍ଧସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ତୁହାକୁ ତୁହା ଗୁଳି ଚାଳନ ଓ ମିସାଇଲ ଆକ୍ରମଣରେ ବିଶ୍ଵରେ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଶ୍ରୀନଗରରେ ଓଡ଼ିଶାର ୫ ଜଣ କୃଷି ବିଜ୍ଞାନ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେମାନେ କିପରି ସୁରକ୍ଷିତ ଭାବେ ଉଦ୍ଧାର ହୋଇ ନିଜ ଘରକୁ ଫେରିବେ ସେନେଇ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । କୌଣସି ମତେ ଶ୍ରୀନଗରରୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାକୁ ନିବେଦନ କରିଛନ୍ତି । ପାକିସ୍ତାନର ଆକ୍ରମଣ ଭୟରେ ଓଡ଼ିଶା ଛାତ୍ରଛାତ୍ରୀମାନେ ଭୟଭୀତ ହୋଇରହିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ପରିବାର ଲୋକେ ବି ଚିନ୍ତାରେ ରହିଛନ୍ତି । ସେମାନେ କିପରି ସୁରକ୍ଷିତ ଭାବରେ ଘରକୁ ଫେରିବେ ସେନେଇ ପରିବାର ଲୋକେ ଭୟଭୀତ ମଧ୍ୟ ଅଛନ୍ତି ।
ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ନିଜ ଘରକୁ ଫରିଗଲେଣି କିନ୍ତୁ ସେମାନେ ଆସି ପାରୁନାହାନ୍ତି । ସେମାନେ ଯଦି ଏବେ ଆସି ନ ପାରିବେ ତେବେ ଆଗାମୀ ଦିନରେ ଯୁଦ୍ଧ ସ୍ଥିତି ଭୟଙ୍କର ହେଲେ ସେମାନେ ଆଉ ଫେରି ପାରିବେନି ବୋଲି ଆଶଙ୍କା କରୁଛନ୍ତି । ସେପଟେ ଓଡ଼ିଶା ସରକାର ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ପାଇଁ ଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବାକୁ ତୁରନ୍ତ ବ୍ୟବସ୍ଥା କରାଯିବ ।