ନୂଆଦିଲ୍ଲୀ: ଭାରତର ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବିଶ୍ୱକୁ ଦେଖାଇବା ପାଇଁ ଅନେକ ମିଥ୍ୟା ପ୍ରଚାର କରିଛି । ଯାହାକୁ ଖଣ୍ଡନ କରିଛି ଭାରତୀୟ ସେନା । ଏ ନେଇ ଆଜି ଅପରାହ୍ନରେ ସେନା ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ଥଳ ସେନା କର୍ଣ୍ଣେଲ୍ ସୋଫିଆ କ୍ୟୁରେସୀ ।
ଶନିବାର ପ୍ରଥମଥର ପାଇଁ ତିନି ସେନା ଆକାଶ, ବାୟୁ ଓ ସ୍ଥଳ ସେନା ଏବଂ ବୈଦେଶିକ ବିଭାଗ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ, କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଓ ବାୟୁ ସେନା କମାଣ୍ଡର ରଘୁ ଆର୍ ନାୟର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ଏଥିରେ ପାକିସ୍ତାନର ସମସ୍ତ ମିଥ୍ୟା ପ୍ରଚାରକୁ ଖଣ୍ଡନ କରିଛି ସେନା । ପାକିସ୍ତାନ ଦାବି କରିଛି ଯେ ସେ ତାର ଫାଇଟର୍ ଜେଟ୍ JF-17 ବ୍ୟବହାର କରି ଭାରତ ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400 ସିଷ୍ଟମ (ସୁଦର୍ଶନ ଚକ୍ର) ଏବଂ ବ୍ରହ୍ମୋସ କ୍ଷେପଣାସ୍ତ୍ର ଘାଟିକୁ କ୍ଷତି ପହଞ୍ଚାଇଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଦ୍ୱିତୀୟରେ ପାକ୍ ଆହୁରି ଏକ ମିଥ୍ୟା ଦାବି କରିଛି ଯେ ଯେ ସିରସା, ଜମ୍ମୁ, ପଠାନକୋଟ, ଭଟିଣ୍ଡା, ନଲିୟା ଏବଂ ଭୁଜରେ ଆମର ବିମାନ ବନ୍ଦର କ୍ଷତିଗ୍ରସ୍ତ ହୋଇଛି, ଏହା ମଧ୍ୟ ସମ୍ପୂର୍ଣ୍ଣ ମିଛ ଖବର ଅଟେ । ସେହିପରି ତୃତୀୟରେ ପାକିସ୍ତାନର ଆଉ ଏକ ମିଥ୍ୟା ଦାବି କରିଛି ଯେ ଚଣ୍ଡିଗଡ଼ ଏବଂ ବ୍ୟାସରେ ଆମର ଗୋଳାବାରୁଦ ଡିପୋ ଉପରେ ଆକ୍ରମଣ କରାଯାଇଥିଲା, ଯାହାକି ପାକିସ୍ତାନର ଆଉ ଏକ ଡାହା ମିଛ ଅଟେ । ଏ ନେଇ ସୂଚନା ଦେଇଛନ୍ତି କର୍ଣ୍ଣେଲ୍ କ୍ୟୁରେସୀ ।
ଖାଲି ଏତିକି ନୁହେଁ ଉତ୍ତେଜନା ପରିସ୍ଥିତି ମଧ୍ୟରେ ପାକିସ୍ତାନ ଧର୍ମ ବିଶେଷ କରି ମୁସଲମାନଙ୍କ ମଧ୍ୟରେ ଉତ୍ତେଜିତ କରିବାକୁ ଚେଷ୍ଟା କରିଛି । ସେହି ଅଭିଯୋଗ ହେଉଛି ଯେ ଭାରତୀୟ ସେନା ମସଜିଦକୁ କ୍ଷତି ପହଞ୍ଚାଇଛି । କିନ୍ତୁ କର୍ଣ୍ଣେଲ୍ କ୍ୟୁରେସୀ ସ୍ପଷ୍ଟ କରିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ଆମର ସେନା ଭାରତର ସାମ୍ବିଧାନିକ ମୂଲ୍ୟବୋଧର ଏକ ସତ୍ୟ ଏବଂ ପ୍ରଶଂସନୀୟ ପ୍ରତିଫଳନ । ଆକ୍ରମଣ ସମୟରେ କୌଣସି ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କରାଯାଇ ନାହିଁ ବୋଲି ସେ ବାରମ୍ବାର ଦୋହରାଇ ଥିଲେ ।