ନୂଆଦିଲ୍ଲୀ: ନଭେମ୍ବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦେଶ ଗସ୍ତରେ ଯିବେ। ଏହି ସମୟରେ ସେ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ବ୍ରାଜିଲ ଯିବେ। ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ମୋଦୀ ଅନେକ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି।
ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡି ସିଲଭାଙ୍କ ଦ୍ୱାରା ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର ୧୮ ଓ ୧୯ ତାରିଖରେ ରିଓ ଡି ଜେନେରିଓ ଗସ୍ତ କରିବେ।
ଭାରତ ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ସହିତ ଜି-୨୦ ଟ୍ରୋଇକାରେ ସାମିଲ ଏବଂ ଜି-୨୦ ଶିଖର ସମ୍ମିଳନୀର ଆଲୋଚନାରେ ସକ୍ରିୟ ଭାବେ ଯୋଗଦାନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।
ଶିଖର ସମ୍ମିଳନୀ ରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଉପରେ ଆଲୋକପାତ କରିବେ ଏବଂ ଗତ ଦୁଇ ବର୍ଷ ମଧ୍ୟରେ ଭାରତ ଦ୍ୱାରା ଆୟୋଜନ କରାଯାଇଥିବା 'ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାପତ୍ର' ଏବଂ 'ଭଏସ୍ ଅଫ୍ ଦି ଗ୍ଲୋବାଲ ସାଉଥ୍ ଶିଖର ସମ୍ମିଳନୀ'ର ଫଳାଫଳ ଉପରେ ଆଲୋଚନା କରିବେ ।
ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧୬ରୁ ୧୭ ତାରିଖ ପର୍ଯ୍ୟନ୍ତ ନାଇଜେରିଆଗସ୍ତରେ ଯିବେ। ଗତ ୧୭ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନାଇଜେରିଆ ଗସ୍ତ।
ଅଧିକ ପଢ଼ନ୍ତୁ: ୧୧ ରାଜ୍ୟର ୩୩ ଆସନରେ ମତଦାନ କରୁଛନ୍ତି ମତଦାତା