ନୂଆଦିଲ୍ଲୀ, ଅଗଷ୍ଟ ୧୦ (ଖବର ଓଡ଼ିଶା): ଉତ୍ତରପ୍ରଦେଶରେ ରାୟବରେଲିର ଉଚାହାର ତହସିଲରେ ଉତ୍ତେଜନା ଦେଖାଯାଇଛି । ମଙ୍ଗଳବାର ତହସଲି ପରିସରରେ ଲେଖପାଳଙ୍କ ଗାଡ଼ିକୁ କିଛି ଲୋକ ନିଆଁ ଲଗାଇ ଜାଳି ଦେଇଛନ୍ତି । ଲୋକେ ଏହାକୁ ଦେଖି ଚିନ୍ତାପ୍ରକଟ କରିଛନ୍ତି, ଯେତେବେଳେ ଗାଡ଼ି ନିକଟରୁ ‘ପାକିସ୍ତାନ ଜିନ୍ଦାବାଦ’ ଉଲ୍ଲେଖ ଥିବା ପାମ୍ପଲେଟ ଠାବ କରିଛନ୍ତି । କିଛି ପାମ୍ପଲେଟରେ ଭାରତ ବିରୋଧୀ ଶ୍ଲୋଗାନ ମଧ୍ୟ ଲେଖାଯାଇଥିଲା । ଘଟଣା ସଂପର୍କରେ ଅବଗତ ହେବା ପରେ ଏହି ଅଞ୍ଚଳର ଏସଡିଏମ୍ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ।
ରିପୋର୍ଟ ଅନୁସାରେ ରାୟବରେଲିର ଉଚାହାର ଥାନା ଅନ୍ତର୍ଗତ ତହସିଲ ପରିସରରେ ପରିସ୍ଥିତି ବିଗାଡ଼ିବା ପାଇଁ ଲେଖପାଳଙ୍କ କାରରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ । ସେଠାରେ ଦୁର୍ବୃତ୍ତମାନେ ପାକିସ୍ତାନର ସମର୍ଥନରେ ପାମ୍ପଲେଟ ଫିଙ୍ଗିଦେଇ ଚାଲି ଯାଇଥିଲେ । ମିର୍ଜାପୁର ଏହାରୀରେ ମୁତୟନ ଲେଖପାଳ ଆଦିତ୍ୟ ସିଂହ ତହସିଲ ମୁଖ୍ୟାଳୟରେ ଥିବା ସରକାରୀ ଆବାସରେ ରୁହନ୍ତି । ମଙ୍ଗଳବାର ସକାଳୁ ଉଠି ସେ ଯେତେବେଳେ ବାହାରକୁ ଗଲେ, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଘର ବାହାରେ ଛିଡ଼ା ହୋଇଥିବା କାର (କ୍ୱିଡ ୟୁପି ୭୦ ୧୮୧୬)କୁ କୌଣସି ବ୍ୟକ୍ତି ନିଆଁ ଲଗାଇ ଦେଇଛି । ପରିସ୍ଥିତି ବିଗାଡ଼ିବା ପାଇଁ ଭାରତ ବିରୋଧୀ ଓ ପାକିସ୍ତାନର ସମର୍ଥନରେ ଉଲ୍ଲେଖ ଥିବା ପାମ୍ପଲେଟ ଫିଙ୍ଗିଦେଇ ଚାଲିଯାଇଛି । ଏବାବଦରେ ଲେଖପାଳ ଶ୍ରୀ ସିଂହ ଏସ୍ଡିଏମ୍ ଆଶୀଷ ମିଶ୍ରଙ୍କୁ ସୂଚନା ଦେଇଥିଲେ । ଏହା ପରେ ଏସଡିଏମ୍ ନିଜେ ଥାନାକୁ ଯାଇ ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ ।