ରାଞ୍ଚି, ଜୁନ୍ ୨୫ (ଖବର ଓଡ଼ିଶା): ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶର ସର୍ବେଚ୍ଚ ପଦବି ‘ରାଷ୍ଟ୍ରପତି’ ପାଇଁ ନିର୍ବାଚନ ହେବ । ଏଥି ପାଇଁ ବିଜେପି ନେତୃତ୍ୱରେ ପରିଚାଳିତ ଏନ୍ଡିଏର ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଏହି ନିର୍ବାଚନରେ ଶ୍ରୀମତୀ ଦ୍ରୌପଦୀଙ୍କ ବିରୋଧରେ ଅବତୀର୍ଣ୍ଣ ହୋଇଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୋବନ୍ତ ସିହ୍ନା । ତେବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚ (ଜେଏମ୍ଏମ୍) ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ଜଣାଇବ, ସେନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେଣୁ ଆଜି ଜେଏମଏମର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଦଳୀୟ ସାଂସଦ ଓ ବିଧାୟକ ଉପସ୍ଥିତ ରହି ଚର୍ଚ୍ଚା କରିବେ ।
ସୂଚନାଯୋଗ୍ୟ, ଓଡ଼ିଆ ଝିଅ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମେତ ଏନଡିଏର ଅନ୍ୟ ବରିଷ୍ଠ ନେତା ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଆନ୍ଧ୍ରପ୍ରଦେଶ ସମକକ୍ଷ ଜଗନ ମୋହନ ରେଡ୍ଡୀ ମଧ୍ୟ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଜଣାଇ ସାରିଛନ୍ତି । ଓଡ଼ିଶାର ପଡୋଶୀ ରାଜ୍ୟ ହୋଇଥିବାରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରୋନ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ନିଜର ସମର୍ଥନ ଜଣାଇ ପାରନ୍ତି ବୋଲି ଆଶା କରାଯାଉଛି । ଏହାର ଅନ୍ୟ କାରଣ ମଧ୍ୟ ହୋଇପାରେ ଯେ, ଦ୍ରୌପଦୀ ମୁର୍ମୁ ପୂର୍ବରୁ ରାଜ୍ୟପାଳ ଭାବେ ଝାଡ଼ଖଣ୍ଡରେ ନିଜରେ ସେବା ଦେଇସାରିଛନ୍ତି । ଏତଦ୍ ବ୍ୟତୀତ ଝାଡ଼ଖଣ୍ଡର ଯେହେତୁ ଆଦିବାସୀ ଅଧ୍ୟୁଷିତ ରାଜ୍ୟ, ତେଣୁ ଶ୍ରୀମତୀ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ଅଧିକ ଆଶା ଦେଖାଯାଉଛି ।